Unknown

 

 

 

 

 

 

 

 

 

 

ମାଳବିକା ଅଗ୍ନିମିତ୍ର

ମହାକବି କାଳିଦାସ

 

llଏକll

ବିଦିଶା ଓ ବିଦର୍ଭ ଦୁଇଟି ପଡ଼ୋଶୀ ରାଜ୍ୟ । ଏହି ଦୁଇରାଜ୍ୟ ମଧ୍ୟରେ ସାଧାରଣତଃ ଶତୃତା ଲାଗି ରହିଥିଲା । ଯଜ୍ଞସେନ ନାମରେ ଜଣେ ପ୍ରତାପଶାଳୀ ରାଜା ବିଦର୍ଭରେ ରାଜତ୍ୱ କରୁଥିଲେ । କିନ୍ତୁ ମାଧବସେନ ନାମକ ତାଙ୍କର ଜଣେ ଆତ୍ମୀୟ ବିଦର୍ଭ ଉପରେ ନିଜର ଦାବି ଉପସ୍ଥାପିତ କରି ତାଙ୍କର ବିରୋଧ କରୁଥିଲେ । ଉଭୟେ ପରସ୍ପରର କ୍ଷତି ସାଧନ କରିବାରେ ରତଥିଲେ ।

 

ବିଦିଶାରେ ରାଜତ୍ୱ କରୁଥିଲେ ଅଗ୍ନିମିତ୍ର । ସେ ଥିଲେ ପ୍ରବଳ ପ୍ରତାପୀ ମଗଧରାଜ ପୁଷ୍ପମିତ୍ରଙ୍କର ସୁଯୋଗ୍ୟ ପୁତ୍ର ବିଦର୍ଭର ରାଜ-ସିଂହାସନ ଲାଗି ପ୍ରତିଦ୍ୱନ୍ଦିତା ଲାଗିଥିବା ଦେଖି ସେ ନିଜର ପ୍ରାଧାନ୍ୟ ବିସ୍ତାର ଲାଗି ଚେଷ୍ଟିତ ହୋଇ ମାଧବସେନଙ୍କର ପକ୍ଷ ସମର୍ଥନ କଲେ ଓ ତାଙ୍କୁ ସୈନ୍ୟସାମନ୍ତ ଯୋଗାଇ ସାହାଯ୍ୟ କଲେ । ଏକ ସମୟରେ ବିଦିଶାର ରାଜା ସୁଯୋଗ ପାଇ ବିଦର୍ଭର ପ୍ରଧାନମନ୍ତ୍ରୀଙ୍କୁ ଧରିନେଇ ବନ୍ଦୀ କରି ରଖିଲେ । ଏହି ଅପମାନର ପ୍ରତିଶୋଧ ନେବାପାଇଁ ବିଦର୍ଭ ରାଜା ଯଜ୍ଞସେନ ଚେଷ୍ଟିତ ହେଲେ । ସେ ଶୁଣିପାରିଲେ ଯେ ମାଧବସେନ ତାଙ୍କର ଭଗିନୀ ମାଳବିକାଙ୍କର ବିଦିଶାରାଜ ଅଗ୍ନିମିତ୍ରଙ୍କ ସହିତ ବିବାହ ଉପଲକ୍ଷେ ବିଦିଶା ଅଭିମୁଖରେ ଆସୁଛନ୍ତି । ଏହି ଘଟଣାକୁ ଏକ ସୁଯୋଗ ମନେକରି ବିଦର୍ଭରାଜ ତାଙ୍କର ଜଣେ ସାମନ୍ତଙ୍କୁ ଆଦେଶ ଦେଲେ ଯେ, ସେ ଅବିଳମ୍ବେ ସୈନ୍ୟସାମନ୍ତ ନେଇ ମାଧବସେନଙ୍କ ବିବାହଯାତ୍ରୀ ଦଳଙ୍କୁ ପଥମଧ୍ୟରେ ଆକ୍ରମଣ କରି ତାଙ୍କୁ ବନ୍ଦୀ କରି ନେଇ ଆସିବେ । ଏହି ଆଦେଶ ପାଳନରେ ବିଳମ୍ବ ହେଲା ନାହିଁ । ସୈନ୍ୟମାନଙ୍କ ଅପ୍ରତ୍ୟାଶିତ ଆକ୍ରମଣରେ ମାଧବସେନଙ୍କ ଅନୁଚରମାନେ ପରାସ୍ତ ହେଲେ; ସେ ବନ୍ଦୀ ହେଲେ ।

 

ଉଭୟ ଦଳ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ମାଧବସେନଙ୍କ ମନ୍ତ୍ରୀ ସୁମତି ନିଜର ଭଉଣୀ କୌଶିକୀ ଓ ମାଧବସେନଙ୍କ ଭଉଣୀ ମାଳବିକାକୁ ସଙ୍ଗରେ ଘେନି ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ । ସୁମତି ନିଜ ଦଳର ଦୁର୍ବଳତା ଓ ଶତ୍ରୁପକ୍ଷରେ ସୌନ୍ୟସଂଖ୍ୟା ଦେଖି ଯୁନ୍ଧର ପରିଣାମ ବିଷୟରେ ନିଃସନ୍ଦେହ ଥିଲେ; ତେଣୁ ସେ ମହିଳା ଦୁହିଁଙ୍କର ଓ ନିଜର ଜୀବନରକ୍ଷା କରିବା ପାଇଁ ପଳାୟନ କରିବାକୁ ସ୍ଥିର କରିଥିଲେ। ନିଜର ଭାଗ୍ୟ ବିଷୟରେ ନାନା ଆଶଙ୍କା ପୋଷାଣ କରି ସେମାନେ ଯାଉଯାଉ ବିଦିଶା ଅଭିମୁଖରେ ଯାଉଥିବା ଦଳେ ବଣିକଙ୍କ ସଙ୍ଗେ ସେମାନଙ୍କର ସାକ୍ଷାତ ହେଲା । କିଛି ଆଶ୍ୱସ୍ତ ହୋଇ ସେମାନେ ଏହି ବଣିକଦଳ ସହିତ ଯିବାକୁ ଲାଗିଲେ ।

 

ସେମାନେ ପଥ ମଧ୍ୟରେ କୌଣସି ବିପଦର ସମ୍ମୁଖୀନ ନହୋଇ ଅନେକ ନଗର ଓ ଜନପଦ ଅତିକ୍ରମ କଲେ । କିଛି ଦିନ ଏହିପରି ଯିବା ପରେ ସେମାନେ ବିଦିଶା ନଗରୀର ନିକଟବର୍ତ୍ତୀ ହେଲେ । କିନ୍ତୁ ସେମାନଙ୍କର ଭାଗ୍ୟ ପ୍ରତିକୂଳ ଥିଲା । ଦିନେ ସେମାନେ ଏକ ଅରଣ୍ୟପଥରେ ଯାତ୍ରା କରୁଥିବା ସମୟରେ ଦଳେ ଦସ୍ୟୁ କେଉଁଆଡ଼ୁ ଆସି ସେମାନଙ୍କୁ ଆକ୍ରମଣ କଲେ । ବଣିକମାନେ ସ୍ୱଭାବତଃ ଯୁଦ୍ଧବିଦ୍ୟାରେ ଅନଭ୍ୟସ୍ତ । ତଥାପି ସେମାନେ ସୁମତିଙ୍କ ସାହାଯ୍ୟରେ ଦସ୍ୟୁମାନଙ୍କର ପ୍ରତିରୋଧ କଲେ । ଏହା ଫଳରେ ସୁମତି ଓ ଅନେକ ବଣିକ ଦସ୍ୟୁଙ୍କ ଦ୍ୱାରା ନିହତ ହେଲେ । ଅଳ୍ପ କେତେ ଜଣ ବଣିକ ଆହତ ହୋଇ ପଡ଼ିରହିଲେ । ସୁମତିଙ୍କ ମୃତ୍ୟୁରେ କୌଶିକୀ ଓ ମାଳବିକା ନିଜକୁ ନିତାନ୍ତ ଅସହାୟ ମନେକରି ପଳାୟନ କଲେ । ବହୁ କଷ୍ଟରେ ସେମାନେ କେତେ ଦୂର ପଥ ଅତିକ୍ରମ କରି ନର୍ମଦା ତୀରରେ ଉପସ୍ଥିତ ହେଲେ । ଚାଲିଚାଲି ବହୁଦୂର ଯିବାରେ ଅନଭ୍ୟସ୍ତ ଥିବାରୁ, ସେ ଦୁହେଁ ଅତ୍ୟନ୍ତ କ୍ଲାନ୍ତ ହୋଇ ବସିପଡ଼ିଲେ ଓ ଅଶ୍ରୁମୋଚନ କରି ନିଜର ଭାଗ୍ୟ-ବିପର୍ଯ୍ୟୟ ଚିନ୍ତା କରିବାକୁ ଲାଗିଲେ ।

 

ଏହି ସମୟରେ ଦୈବଯୋଗେ ବିଦିଶାର ସୀମାନ୍ତ ଦୁର୍ଗାଧିପତି ବୀରସେନ ସେମାନଙ୍କୁ ଦେଖିପାରିଲେ । ବୀରସେନ ବିଦିଶାରାଜ ଅଗ୍ନିପିତ୍ରଙ୍କର ଶ୍ୟାଳକ ଥିଲେ । ତାଙ୍କର ଭଗିନୀ ଧାରିଣୀ ଦେବୀ ଅଗ୍ନିମିତ୍ରଙ୍କର ଥିଲେ ପ୍ରଧାନ ମହିଷୀ । ବୀରସେନ ଏହି ମହିଳା ଦୁହିଁଙ୍କର ଦୁରବସ୍ଥା ଦେଖି ନିତାନ୍ତ ବ୍ୟଥିତ ହେଲେ ଓ ସେମାନଙ୍କୁ ବିଦିଶା ରାଜପୁରୀକୁ ପଠାଇଦେଲେ । ଧାରିଣୀ ଦେବୀ ଏ ଦୁହିଁଙ୍କ ପ୍ରତି ଦୟା ଓ ସହାନୁଭୂତି ପ୍ରଦର୍ଶନ କରିବା ବିଷୟରେ ତାଙ୍କର ଅଣୁମାତ୍ର ସନ୍ଦେହ ନଥିଲା ।

 

ହାୟ ! ଦୈବର କି ବିଡ଼ମ୍ବନା ! ଯେଉଁ ମାଳବିକା ଅଗ୍ନିମିତ୍ରଙ୍କୁ ବିବାହ କରି ରାଜରାଣୀ ହେବାକୁ ଯାଉଥିଲେ, ତାଙ୍କୁ ସେହି ଅଗ୍ନିମିତ୍ରଙ୍କ ରାଣୀଙ୍କ ନିକଟରେ ଦାସୀତ୍ୱ ଗ୍ରହଣ କରିବାକୁ ପଡ଼ିଲା ।

 

ଧାରିଣୀ ଦେବୀଙ୍କର ହୃଦୟ ଉଦାର ଥିଲା ଓ ସେ ନାନା ସଦଗୁଣରେ ଅଧିକାରିଣୀ ଥିଲେ-। ମାଳବିକା ତାଙ୍କର ଦାସୀ ଭାବରେ ଥିଲେହେଁ ରାଣୀ ତାଙ୍କୁ ନିଜର ସଖିତୁଲ୍ୟ ବ୍ୟବହାର କରୁଥିଲେ । କୌଶିକୀ ନିଜକୁ ଜଣେ ପରିବ୍ରାଜିକା ରୂପେ ପରିଚୟ ଦେଇ ରାଜପୁରୀରେ ଅବସ୍ଥାନ କରୁଥିଲେ-। ସେ ନିଜର ବିଦ୍ୟା, ବୁଦ୍ଧି ଓ ଗୁଣଦ୍ୱାରା ସମସ୍ତଙ୍କର ଆଦର ଓ ସମ୍ମାନ ଲାଭ କରିଥିଲେ-

 

ଧାରିଣୀ ଦେବୀ ଦେଖିଲେ, ମାଳବିକା ଯେ କେବଳ ସୌନ୍ଦର୍ଯ୍ୟରେ ଅଦ୍ୱିତୀୟା ତାହା ନୁହେଁ, ସଙ୍ଗୀତ ଓ ନୃତ୍ୟବିଦ୍ୟା ପ୍ରତି ମଧ୍ୟ ତାଙ୍କର ବିଶେଷ ଆଗ୍ରହ ଥିଲା । ସଙ୍ଗୀତ ଓ ନୃତ୍ୟର ପ୍ରସାର ନିମନ୍ତେ ଧାରିଣୀ ଦେବୀ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଓ ସେଠାରେ ଅନ୍ତଃପୁରର ମହିଳାମାନଙ୍କୁ ସଙ୍ଗୀତବିଦ୍ୟା ଶିକ୍ଷା ଦେବା ନିମନ୍ତେ ଉପଯୁକ୍ତ ଗୁରୁଙ୍କୁ ନିଯୁକ୍ତ କରାଯାଇଥିଲା । ଦୁଇଜଣ ଗୁରୁଙ୍କ ମଧ୍ୟରୁ ଗଣଦାସ ମୁଖ୍ୟ ଥିଲେ ଓ ତାଙ୍କ ପ୍ରତି ରାଣୀ ଧାରିଣୀଙ୍କର ଗଭୀର ସମ୍ମାନ ଥିଲା । ଅପର ସଙ୍ଗୀତ ଶିକ୍ଷକଙ୍କର ନାମ ଥିଲା ହରଦତ୍ତ । ରାଜା ଅଗ୍ନିମିତ୍ର ହରଦତ୍ତଙ୍କର ପ୍ରଶଂସା କରୁଥିଲେ । ରାଣୀ ଧାରିଣୀ ମାଳବିକାଙ୍କୁ ଗୋଟିଏ ଟିତ୍ରପଟ ଅଙ୍କନ କର ।

 

କିଛି ଦିନ ପରେ ଚିତ୍ରପଟ କେତେଦୂର ଅଙ୍କିତ ହେଲାଣି ଦେଖିବା ପାଇଁ ରାଣୀ ଧାରିଣୀ ରାଜପୁରୀର ଚିତ୍ରଶାଳାକୁ ଗଲେ । ତାଙ୍କ ସଙ୍ଗରେ କନ୍ୟା ବସୁଲକ୍ଷ୍ମୀ ମଧ୍ୟ ସେଠାକୁ ଗଲା । ଟିତ୍ରପଟଟି ପ୍ରାୟ ଶେଷ ହୋଇ ଆସିଥିଲା । ଚିତ୍ରକର ସେଇଟିକୁ ରାଣୀଙ୍କ ହାତକୁ ବଢ଼ାଇଦେଲା । ରାଣୀ ଚିତ୍ରପଟକୁ ଧରି ଆସନ ଉପରେ ବସି ନିରୀକ୍ଷଣ କରିବାକୁ ଲାଗିଲେ ଏହି ସମୟରେ ରାଜା ଅଗ୍ନିମିତ୍ର ସେଠାରେ ପ୍ରବେଶ କଲେ । କିନ୍ତୁ ରାଣୀ ଚିତ୍ରକୁ ଦେଖିବାରେ ଏତେଦୂର ନିମଗ୍ନ ରହିଥିଲେ ଯେ, ସେ ରାଜାଙ୍କର ଆଗମନ ଜାଣିପାରିନଥିଲେ ।

 

ରାଜା ରାଣୀଙ୍କର ଏକଗ୍ରତାରେ ବିସ୍ମିତ ହୋଇ କୌତୂହଳବଶତଃ ଚିତ୍ରଟି ଦେଖିବା ନିମନ୍ତେ ହଠାତ୍ ରାଣୀଙ୍କ ନିକଟରେ ବସିପଡ଼ିଲେ ଓ ରାଣୀଙ୍କ ହାତରୁ ଚିତ୍ରଟିକୁ ନେଇ ଦେଖିଲେ । ରାଣୀ ଚମକିପଡ଼ିଲେ ।

 

ଅଗ୍ନିମିତ୍ର ଜୀବନରେ ଶତ ଶତ ସୁନ୍ଦରୀଙ୍କୁ ଦର୍ଶନ କରିଥିଲେ; କିନ୍ତୁ ଚିତ୍ରପଟରେ ଯେଉଁ ସୁନ୍ଦରୀର ଚିତ୍ର ଦେଖିଲେ ସେଭଳି ଅପୂର୍ବ ସୁନ୍ଦରୀ କେବେ ଦେଖିଥିବାର ସ୍ମରଣ କରିପାରିଲେ ନାହିଁ-। ସେ ଚିନ୍ତା କରିବାକୁ ଲାଗିଲେ- ଏ ଯୁବତୀଟି କିଏ ରାଜ- ଅନ୍ତଃପୁର ମଧ୍ୟରେ ଏଭଳି ସୁନ୍ଦରୀ ତ ମୁଁ କେବେ ଦେଖିନାହିଁ ! ତେବେ ଏ କିଏ ? ସେ ରାଣୀ ଧାରିଣୀଙ୍କ ନିକଟକୁ ଯାଇ ପଚାରିଲେ- ପ୍ରିୟେ, ଏ ଛବିଟି କାହାର? କିନ୍ତୁ ରାଣୀ କୌଣସି ଉତ୍ତର ନ ଦେଇ ନୀରବ ରହିଲେ ।

 

ରାଣୀଙ୍କ ମନରେ ଏକ ସମସ୍ୟା ଉପସ୍ଥିତ ହେଲା । ତାଙ୍କର ଭାଇ ବୀରସେନ ଯେ ମାଳବିକାକୁ ଉପଢ଼ୌକନ ସ୍ୱରୂପ ତାଙ୍କ ପାଖକୁ ପଠାଇ ଅଛନ୍ତି, ଏ କଥା ସେ ରାଜାଙ୍କଠାରୁ ପ୍ରଥମରୁ ଗୋପନ ରଖିଥିଲେ । ରାଜା ଯେପରି ମାଳବିକାର ଦେଖାନପାନ୍ତି ସେଥିପାଇଁ ସେ ବିଶେଷ ଯତ୍ନ କରିଥିଲେ ତେଣୁ ସେ ହଠାତ୍ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ।

 

ରାଜା ପୁଣି ଅନୁରୋଧ କଲେ- ପ୍ରିୟେ, କୁହ, ଚିତ୍ରଟି କାହାର ?

ତଥାପି ରାଣୀ ନିରୁତ୍ତର । ସେ କୌଣସି ଉତ୍ତର ନ ଦେଇ କେବଳ ଅନ୍ୟ ଆଡ଼କୁ ମୁହଁ ବୁଲାଇଦେଲେ । ଏହି ସମୟରେ ରାଜକନ୍ୟା ବସୁଲକ୍ଷ୍ମୀ କହିଉଠିଲା- ବାପା ତୁମେ, ତାଙ୍କୁ ଚିହ୍ନି ନାହଁ ? ଏ ହେଉଛି ମାଳବିକାଙ୍କର ଛବି ସେ ପରା ଆମ ଉଆସରେ ଅଛନ୍ତି !

 

"ହଁ, ବେଶ୍ ସୁନ୍ଦର ଚିତ୍ରଟିଏ ହୋଇଛି ।" - ଏତିକି ମାତ୍ର କହି ରାଜା ଚିତ୍ରଶାଳାରୁ ବାହାରିଗଲେ ।

ଧାରିଣୀ ବଡ଼ ଚିନ୍ତାରେ ପଡ଼ିଲେ । ସେ ଏତେ ଦିନ ହେଲା ମାଳବିକାଙ୍କୁ ରାଜାଙ୍କ ଆଖିରୁ ଦୂରରେ ରଖିଥିଲେ । ମାଳବିକା ବୋଲି କେହି ଜଣେ ରାଜପୁରୀରେ ରହୁଅଛି ବୋଲି ସେ ରାଜାଙ୍କୁ ଜାଣିବାକୁ ଦେଇଥିଲେ କିନ୍ତୁ ଏ ଚିତ୍ରପଟ ତାଙ୍କର ସମସ୍ତ କଳ୍ପନାକୁ ପଣ୍ତ କରିଦେଲା । ଚିତ୍ରପଟ ଦେଖିଲା ପରେ ରାଜା ମାଳବିକାକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ଯେ ଉତ୍କଣ୍ଠିତ ହେବେ, ଏ ବିଷୟରେ ତାଙ୍କର ସନ୍ଦେହ ରହିଲା ନାହିଁ । ତେଣୁ ସେ ଅବିଳମ୍ବେ ତାଙ୍କର ପ୍ରିୟ ସଙ୍ଗୀତ ଗୁରୁ ଗଣଦାସଙ୍କୁ ଡକାଇ ମାଳବିକାଙ୍କୁ ତାଙ୍କ ଘରକୁ ପଠାଇଦେଲେ ଓ ସେହିଠାରେ ତାଙ୍କୁ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଦେବାକୁ ଅନୁରୋଧ କଲେ ।

 

ଏଣେ ରାଜାଙ୍କର କୌତୁହଳ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲା । ଚିତ୍ରପଟ ଦେଖିଲା ଦିନୁ ମାଳବିକାକୁ ଥରେ ସ୍ୱଚକ୍ଷୁରେ ଦେଖିବାର ଇଚ୍ଛା ତାଙ୍କୁ ଅଧୀର କରି ପକାଇଲା କିନ୍ତୁ ଏହି ଇଚ୍ଛା ପୂରଣ ହେବାରେ ଅନେକ ପ୍ରତିବନ୍ଧକ ଥିଲା । ରାଜପୁରୀ ମଧ୍ୟରେ ପ୍ରଧାନ ମହିଷୀ ଧାରିଣୀଙ୍କର ଅପ୍ରତିହତ କ୍ଷମତା । ସମସ୍ତ ଦାସଦାସୀ ତାଙ୍କର ଅଧୀନ ତାଙ୍କର ଅଜ୍ଞାତସାରରେ ପ୍ରାସାଦ ମଧ୍ୟରେ କିଛି କରିବା ରାଜାଙ୍କ ପକ୍ଷରେ ଅସମ୍ଭବ ଥିଲା । ସେ ଥିଲେ ରାଜପୁରୀର ପରିଚାଳିକା । ଦାସଦାସୀମାନଙ୍କୁ ସେ ପୂର୍ଣ୍ଣରୂପେ ନିୟନ୍ତ୍ରଣ କରୁଥିଲେ ଆବଶ୍ୟକ ହେଲେ ସେମାନଙ୍କୁ କାରାଦଣ୍ତ ପର୍ଯ୍ୟନ୍ତ ଦେଉଥିଲେ । ରାଜା ଅନନ୍ୟୋପାୟ ହୋଇ ତାଙ୍କର ପ୍ରିୟ ବୟସ୍ୟ ବିଦୂଷକ ଗୌତମଙ୍କର ଶରଣାପନ୍ନ ହେଲେ ।

 

ଗୌତମ ଯେ ବିଶେଷ ବୁଦ୍ଧିମାନ୍ ଥିଲେ ତାହା ନୁହେଁ; କିନ୍ତୁ କୌଣସି ଜଟିଳ ପରିସ୍ଥିତି ଊପୁଜିଲେ ସେ କୌଶଳ ସହକାରେ ତାହାର ସମାଧାନ କରିପାରୁଥିଲେ । ରାଜା ଅଗ୍ନିମିତ୍ର ଗୌତମଙ୍କର ଏହି ଗୁଣ ଜାଣିଥିଲେ; ତେଣୁ ସେ କିପରି ମାଳବିକାଙ୍କୁ ଦେଖିପାରିବେ ତାହାର ଉପାୟ ବାହାର କରିବାକୁ ଗୌତମଙ୍କ ଅନୁରୋଧ କଲେ । ଏହା ଏକ କଠିନ ବ୍ୟାପାର ହେଲେହେଁ ଗୌତମ ଯଥାସାଧ୍ୟ ଯତ୍ନ କରିବାକୁ ପ୍ରତିଶ୍ରୁତି ଦେଲେ ।

 

ପ୍ରଥମେ ଗୌତମ ମାଳବିକାର ଗତିବିଧି ସମ୍ବନ୍ଧରେ ସମସ୍ତ ତଥ୍ୟ ସଂଗ୍ରହ କଲେ । ସେ ଜାଣିଲେ ଯେ ବଡ଼ରାଣୀ ଧାରିଣୀଙ୍କ ଆଦେଶରେ ମାଳବିକା ସଙ୍ଗିତାଚାର୍ଯ୍ୟ ଗଣଦାସଙ୍କ ଗୃହରେ ଅବସ୍ଥାନ କରି ସଙ୍ଗୀତ ନୃତ୍ୟ ପ୍ରଭୃତି କଳା ଶିକ୍ଷା କରୁଅଛନ୍ତି । ସଙ୍ଗୀତ ବିଦ୍ୟାଳୟର ଅନ୍ୟତମ ଶିକ୍ଷକ ଥିଲେ ହରଦତ୍ତ । ଦିନେ ଗୌତମ ସଙ୍ଗୀତ ବିଦ୍ୟାଳୟରେ ଉପସ୍ଥିତ ହେଲେ । ଦୁଇ ଶିକ୍ଷକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଓ ପରସ୍ପର ପ୍ରତି ଇର୍ଷା ଜନ୍ନାଇବା ତାଙ୍କର ଉଦ୍ଦେଶ୍ୟ ଥିଲା । ଏହି ଉଦ୍ଦେଶ୍ୟ ସାଧନ କରିବା ଗୌତମଙ୍କ ଭଳି ଚତୁର ବ୍ୟକ୍ତି ପକ୍ଷରେ କଷ୍ଟକର ନଥଲା । ସେ ଗୁରୁଦ୍ୱୟଙ୍କ ସଙ୍ଗେ ଅଲଗା ଅଲଗା କଥାବାର୍ତ୍ତା କରି ପ୍ରତ୍ୟେକଙ୍କୁ ଧାରଣା ଦେଲେ ଯେ ଅପର ଗୁରୁ ତାଙ୍କର ନିନ୍ଦା କରୁଥିଲେ l ଜଣେ ଅନ୍ୟଜଣକର ଯୋଗ୍ୟତା ସ୍ୱୀକାର କରୁନଥିଲେ ।

 

ଗୌତମ ରାଜଦରବାରକୁ ଚାଲିଆସିଲେ । କିଛି ସମୟ ପରେ ଦୌବାରିକ ଆସି ରାଜାଙ୍କୁ ଜଣାଇଲା- ସଙ୍ଗୀତଶାଳାର ଶିକ୍ଷକ ଦୁହେଁ ପରସ୍ପର କଳହ କରି ମହାରାଜାଙ୍କ ସାକ୍ଷାତ୍ ପାଇଁ ଆସିଛନ୍ତି । ସେ ଦୁହିଁଙ୍କର କଳହର ମୂଳରେ ଗୌତମଙ୍କର କୃତିତ୍ୱ ଥିବା କଥା ରାଜା ଜାଣିଲେ । ତେଣୁ ସେ ମନେ ମନେ ଆନନ୍ଦିତ ହୋଇ ଗଣଦାସ ଓ ହରଦତ୍ତଙ୍କୁ ଦରବାର କକ୍ଷକୁ ଡକାଇ ଆଣିଲେ । ସେ ଦୁହେଁ ରାଜାଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ କରି ଆସନ ଗ୍ରହଣ କଲେ । ରାଜା ଏପରି ଅସମୟରେ ଉଭୟ ଗୁରୁଙ୍କ ଆଗମନରେ ବିସ୍ନୟ ପ୍ରକାର କରି ସେମାନଙ୍କ ଆଗମନର କାରଣ ପଚାରିଲେ ।

 

ଗଣଦାସ ଉତ୍ତର କଲେ, "ମହାରାଜ, ଆମେମାନେ ଏକ ଗୁରୁତର ସମସ୍ୟା ନେଇ ଆସିଅଛୁ । ଆପଣ ହେଉଛନ୍ତି ନ୍ୟାୟର ଅବତାର । ଆମ ଦୁହିଁଙ୍କ ମଧ୍ୟରେ ବିବାଦ ଉପସ୍ଥିତ । ହରଦତ୍ତ ସମସ୍ତଙ୍କ ଆଗରେ କହିବୁଲୁଛନ୍ତି ଯେ ଏ ଗଣଦାସ ସଙ୍ଗୀତବିଦ୍ୟାର 'ସ' ଅକ୍ଷର ସୁଦ୍ଧା ଜାଣେନାହିଁ । ସେ ମୋର ପାଦର ଧୂଳିକୁ ସରି ନୁହେଁ ।

 

ସଙ୍ଗେ ସଙ୍ଗେ ହରଦତ୍ତ ପ୍ରତିବାଦ କଲେ - ମହାଭାଗ, ଗଣଦାସ ମୋ'ଠାରୁ ବୟସରେ ବଡ଼ । କିନ୍ତୁ ସେ ନିଜର ବଡ଼ିମା ଦେଖାଇବାକୁ ଯାଇ ମୋର ଯେଭଳି ନିନ୍ଦା ଗାନ କରୁଛନ୍ତି, ତାହା ମୋ' ପକ୍ଷରେ ଅସହ୍ୟ । ସେ କେତେକ ବିଶିଷ୍ଟ ଲୋକଙ୍କ ଆଗରେ କହୁଥିଲେ ଯେ ହରଦତ୍ତ ରାଜାଙ୍କ ସଙ୍ଗାତଶାଳାରେ ସ୍ଥାନ ପାଇବାର ଯୋଗ୍ୟ ନୁହେଁ । ସଙ୍ଗୀତଶାସ୍ତ୍ରରେ ମୁଁ ସିନ୍ଧୁ ହେଲେ ସେ ଜଳବିନ୍ଦୁ ସୁଦ୍ଧା ନୁହେଁ । ମୁଁ ମୋର ବିଦ୍ୟାର ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛି । ଆପଣ ହିଁ ନ୍ୟାୟ ବିଚାର କରି ଆମ ଦୁହିଁଙ୍କ ଭିତରୁ କିଏ ଉତ୍ତମ ଓ କିଏ ଅଧମ ସ୍ଥିର କରିଦିଅନ୍ତୁ ।

 

ରାଜା ଉଭୟ ସଙ୍ଗୀତ-ଶିକ୍ଷକଙ୍କର ଅଭିଯୋଗ ଶୁଣି କିଛି ସମୟ ଚିନ୍ତାକରି କହିଲେ- ଆପଣମାନେ ମୋତେ ଏକ ବିଷମ ସମସ୍ୟାରେ ପକାଇଛନ୍ତି । ଯଦି ଆପଣମାନଙ୍କର ଯୋଗ୍ୟତାର ପରୀକ୍ଷା କରିବାକୁ ହୁଏ, ତେବେ ସେହି ପରୀକ୍ଷା ରାଣୀ ଧାରିଣୀ ଦେବୀ ଓ ପରିବ୍ରାଜିକା କୌଶିକୀଙ୍କ ଉପସ୍ଥିତିରେ ହେବା ସମିଚୀନ; କାରଣ ସେ ଦୁହେଁ ସଙ୍ଗୀତ-ନୃତ୍ୟ-ଅଭିନୟ ପ୍ରଭୃତି କଳାବିଦ୍ୟାରେ ମୋ' ଠାରୁ ଅଧିକ ନିପୁଣ ।

 

ରାଜାଙ୍କର ଆମନ୍ତ୍ରଣ ପାଇ ରାଣୀ ଧାରିଣୀ ଓ କୌଶିକୀ ଦରବାର ଗୃହରେ ପ୍ରବେଶ କଲେ । ରାଜା ସେ ଦୁହିଁଙ୍କୁ ଆଦର ସମ୍ମାନ ଦେଖାଇ ନିକଟରେ ଆସନ ଦେଲେ । ତତ୍ପରେ ସେ କୌଶିକୀଙ୍କୁ ଲକ୍ଷ୍ୟ କରି କହିଲେ- ‘‘ଭଗବତି ! ଏଠାରେ ସଙ୍ଗିତାଚାର୍ଯ୍ୟ ଗଣଦାସ ଓ ହରଦତ୍ତ ଉପସ୍ଥିତ ଅଛନ୍ତି । ସେ ଦୁହିଁଙ୍କର ଯୋଗ୍ୟତା ପରୀକ୍ଷା ପାଇଁ ଗୋଟିଏ ପ୍ରତିଯୋଗିତା କରାଯିବ । ଆପଣଙ୍କୁ ସେଥିରେ ମଧ୍ୟସ୍ଥତା କରିବା ପାଇଁ ମୁଁ ଅନୁରୋଧ କରୁଅଛି ।"

 

କୌଶିକୀ ଉତ୍ତର କଲେ - ଆଶ୍ଚର୍ଯ୍ୟର କଥା । ମୋ ଉପରେ ଏଭଳି ଏକ ପ୍ରତିଦ୍ୱନ୍ଦ୍ୱିତାରେ ମଧ୍ୟସ୍ଥତା କରିବାକୁ ଦାୟିତ୍ୱ ଦେବା ଯାହା, ହାଟ ବାଟରେ ମାଣିକର ମୂଲ କରାଇବା ତାହା । ଆପଣ ଓ ମହାରାଣୀ ଉଭୟେ ଥାଉ ଥାଉ ମୋ’ ଉପରେ ଏ ଭାର ନ୍ୟସ୍ତ କରୁଅଛନ୍ତି କାହିଁକି ? ଏ ନଗରରେ ଗୁଣୀ ଲୋକଙ୍କର ମଧ୍ୟ ଅଭାବ ନାହିଁ ।

 

ମହାରାଜ କହିଲେ- ନା ନା, ସେ କଥା ନୁହେଁ । ମୋର କିମ୍ବା ମହାରାଣୀଙ୍କର ମୀମାଂସା ନିରପେକ୍ଷ ହୋଇନପାରେ । ଆମର ସିଦ୍ଧାନ୍ତ ପକ୍ଷପାତ ଦୋଷରେ ଦୁଷ୍ଟ ବୋଲି ମନେକରାଯିବାର ଆଶଙ୍କା ଅଛି । ସମସ୍ତେ ଜାଣନ୍ତି, ଗଣଦାସଙ୍କୁ ମହାରାଣୀ ଅଧିକ ପ୍ରଶଂସା କରିଥାନ୍ତି ଓ ମୁଁ ହରଦତ୍ତଙ୍କର ସମର୍ଥକ । କିନ୍ତୁ ଆପଣଙ୍କଠାରେ ପକ୍ଷପାତିତା ଦୋଷ କେହି ଆରୋପ କରିବାର କାରଣ ନାହିଁ । ତେଣୁ ଆପଣଙ୍କୁ ଏପରି ଅନୁରୋଧ କରୁଅଛି ।

 

କୌଶିକୀ କହିଲେ-ତାହାହେଲେ ମୁଁ ଗୋଟିଏ ପ୍ରସ୍ତାବ କରୁଛି । ଗଣଦାସ ଓ ହରଦତ୍ତ ଉତ୍ତୟେ ଆମ୍ଭମାନଙ୍କ ଆଗରେ ବହୁବାର ସେମାନଙ୍କର ସଙ୍ଗୀତ, ନୃତ୍ୟ, ଅଭିନୟ ପ୍ରଦର୍ଶନ କରିଅଛନ୍ତି       । ସେ ସବୁର ପୁନରାବୃତ୍ତି ଅନାବଶ୍ୟକ । ଶିକ୍ଷାଦାନ ବିଷୟରେ ଯିଏ ଅଧିକ କୃତିତ୍ୱ ଦେଖାଇପାରିବେ, ତାଙ୍କୁ ହିଁ ଉଚ୍ଚତର ଆସନ ଦିଆଯିବା ଉଚିତ୍ । ନାଟ୍ୟଶାସ୍ତ୍ରରେ ମଧ୍ୟ ଉକ୍ତି ଅଛି ଯେ ଯିଏ ଉତ୍ତମ ଅଭିନୟ କରିବା ସଙ୍ଗେ ସଙ୍ଗେ ଉତ୍ତମ ଅଭିନୟ ଶିକ୍ଷା ଦେଇପାରନ୍ତି, ସେ ହେଉଛନ୍ତି ଯଥାର୍ଥ ଅଭିନେତା ।

 

ହରଦତ୍ତ କୌଶିକୀଙ୍କର ମତକୁ ଦୃଢ଼ ସମର୍ଥନ ଜଣାଇଲେ । ଗଣଦାସ ମହାରାଣୀଙ୍କ ଆଡ଼କୁ ଅନାଇଁ ପଚାରିଲେ- ତେବେ କଅଣ ଆମ ଦୁହିଁଙ୍କର ଶିକ୍ଷାଦାନର ଗୁଣାଗଣ ପରୀକ୍ଷା ହେବା ସ୍ଥିର ହେଲା ?

 

ଧାରିଣୀ ଦେବୀଙ୍କୁ ଏହି ବ୍ୟାପାର ବିରକ୍ତିକର ବୋଧହେଉଥିଲା । ରାଜକାର୍ଯ୍ୟରେ ମନୋନିବେଶ ନ କରି ରାଜା ଯେ ଏଭଳି ଏକ ତୁଚ୍ଛ ବ୍ୟାପାରରେ ସମୟ ବ୍ୟୟ କରୁଛନ୍ତି, ତାହା ତାଙ୍କୁ ହାସ୍ୟାସ୍ପଦ ବୋଧ ହେଲା । ତଥାପି ନିଜର ମନୋଭାବ ଗୋପନ ରଖି ସେ କହିଲେ- "ପରିବ୍ରାଜିକାଙ୍କର ପ୍ରସ୍ତାବ ମୋତେ ଯୁକ୍ତିଯୁକ୍ତ ବୋଧ ହେଉ ନାହିଁ । ଶିଷ୍ୟର କୃତିତ୍ୱରୁ ଗୁରୁଙ୍କର ଯୋଗ୍ୟତା କଳନା କରାଯାଇ ନପାରେ । ଯଦି ଶିଷ୍ୟ ଅଜ୍ଞ ହୋଇଥାଏ, ଗୁରୁଙ୍କର ଉପଦେଶ ଗ୍ରହଣ କରିବାକୁ ଅକ୍ଷମ ହୋଇଥାଏ, ତେବେ ଶିକ୍ଷକଙ୍କୁ ନିନ୍ଦିତ କରିବା କ'ଣ ଉଚିତ ହେବ ?"

 

-ଏହା ଶୁଣି ରାଜା କହିଲେ- ‘‘ମହାରାଣୀ, ଉପଯୁକ୍ତ ଶିଷ୍ୟ ବାଛିବା ମଧ୍ୟ ଶିକ୍ଷାଦାନର ଏକ ଅଙ୍ଗ । ପୁଣି ଯେଉଁ ଶିକ୍ଷକ ଅପେକ୍ଷାକୃତ ସ୍ୱଳ୍ପଧୀ-ଶିଷ୍ୟକୁ ଉତ୍ତମ ରୂପେ ଶିକ୍ଷା ଦେଇପାରନ୍ତି, ତାଙ୍କର ଯୋଗ୍ୟତା ଅଧିକ ବୋଲି ସ୍ୱୀକାର କରିବାକୁ ହେବ ।’’

 

ଧାରିଣୀ ଦେବୀ ଅସନ୍ତୁଷ୍ଟ ହୋଇ କହିଲେ, "ଦେଖୁଛି. ମହାରାଜା ଗୋଟାଏ ପରୀକ୍ଷା କରିବାକୁ ସ୍ଥିରକରିଛନ୍ତି ମୋ’ ମତରେ ଏ ପ୍ରକାର ପ୍ରସ୍ତାବ ସଂପୂର୍ଣ୍ଣରୂପେ ତ୍ୟାଗ କରାଯାଉ ।"

 

ଗୌତମ ଏତେବେଳଯାଏ କୌଣସି ମତ ପ୍ରକାଶ ନ କରି ନୀରବ ରହିଥିଲେ । ଯଦି ଶିଷ୍ୟଙ୍କ ଅଭିନୟ ଦ୍ୱାରା ଗୁରୁଙ୍କର ଯୋଗ୍ୟକା ସ୍ଥିର କରାନଯାଏ, ତେବେ ତାଙ୍କର ସମସ୍ତ କଳ୍ପନା ବ୍ୟର୍ଥ ହେବ । ତେଣୁ ସେ ଗଣଦାସଙ୍କୁ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ବ୍ୟଙ୍ଗକରି କହିଲେ- "ଗଣଦାସ, ମହାରାଣୀ ଭଲକଥା କହିଲେ । ସେ ତ ପ୍ରତିଦିନ ତୁମ ଘରକୁ ପ୍ରଚୁର ମିଷ୍ଟାନ୍ନ ପଠାନ୍ତି, ସେଥିରୁ ପେଟେ ଖାଇନିଶ୍ଚିନ୍ତରେ ଶୋଇପଡ଼- ଏ ପ୍ରତିଯୋଗିତାରେ ପଶିବାକୁ ପଡ଼ିବନାହିଁ ।"

 

ଗଣଦାସ କହିଲେ "ମହାରାଣୀ ମୋତେ ମୋର ଯୋଗ୍ୟକା ପ୍ରଦର୍ଶନ କରିବାର ସୁଯୋଗ ଦିଅନ୍ତୁ । ହରଦତ୍ତ ମୋର ଘୋର ନିନ୍ଦା କରିଅଛନ୍ତି । ମୁଁ ଯେ ଶିକ୍ଷାଦାନ ବିଷୟରେ ଅନଭିଜ୍ଞ ନୁହେଁ, ତା'ର ପ୍ରମାଣ ଦେବାପାଇଁ ପ୍ରସ୍ତୁତ ଅଛି ।"

 

ଧାରିଣୀ ଦେବୀ ଗଣଦାସଙ୍କ ମନର କ୍ଷୋଭ ବୁଝିପାରିଲେ । ସେ କହିଲେ, " ମୋର ଉଦ୍ଦେଶ୍ୟ ବୋଧହୁଏ ବୁଝିପାରିଲେ ନାହିଁ । ଆପଣଙ୍କର ଶିଷ୍ୟଟି ଏକବାରେ ନୂତନ । ଏଇ କେତେଟା ଦିନ ହେଲା ଆପଣଙ୍କଠାରୁ ଶିକ୍ଷା ଆରମ୍ଭ କରିଛି । ତାକୁ ରଙ୍ଗମଞ୍ଚକୁ ଆଣିବାଦ୍ୱାରା ଆପଣଙ୍କ ସୁନାମରେ ବାଧା ପଡ଼ିପାରେ ।"

 

ଗଣଦାସ ନିଜର ପ୍ରୌଢ଼ି ଦେଖାଇ କହିଲେ, "ଏହିଠାରେ ତ ମୋର କୃତିତ୍ୱ ଦେଖାଇବାର ସୁଯୋଗ ! ଏତେ ଅଳ୍ପ ଦିନ ଭିତରେ ମୁଁ ତାକୁ କିପରି ଶିକ୍ଷାଦେଇପାରିଛି, ତାହା ଆପଣସାନେ ବିଚାରକରି ମୋର ମୂଲ୍ୟ ସ୍ଥିର କରିବେ ।”

 

ମହାରାଣୀଙ୍କର ଉଦ୍ଦେଶ୍ୟ ବିଫଳ ହୋଇଗଲା ସେ କୌଶିକୀଙ୍କୁ କହିଲେ- ଯଦି ନିତାନ୍ତ ଏପରି ପ୍ରତିଯୋଗିତା ହୁଏ, ତେବେ ଆପଣହିଁ ମଧ୍ୟସ୍ଥତା କରନ୍ତୁ । ଅନ୍ୟମାନଙ୍କର ଉପସ୍ଥିତି ଅନାବଶ୍ୟକ ।

 

କିନ୍ତୁ କୌଶିକୀ ଏହି ପ୍ରସ୍ତାବରେ ନିଜର ଅସ୍ୱୀକୃତି ପ୍ରକାଶ କଲେ । ସେ କହିଲେ -"ମହାରାଣୀ, ଯେକୌଣସି ପ୍ରତିଯୋଗିତା ସାଧାରଣଙ୍କ ସମକ୍ଷରେ ହେବା ଉଚିତ୍ । ଜଣେ ଲୋକ ଯେତେ ଜ୍ଞାନୀ ହୋଇଥାଉ ପଛକେ ତାର ମତ ଅଭ୍ରାନ୍ତ ହୋଇନପାରେ ।"

 

ଧାରିଣୀ ଦେବୀ ଏହି ପ୍ରତିଯୋଗିତା ବନ୍ଦ କରାଇବା ଉଦ୍ୟମରେ ବାରମ୍ବାର ବିଫଳ ହୋଇ କ୍ରୁଦ୍ଧ ହୋଇଉଠିଲେ । ତାଙ୍କର ମୁଖମଣ୍ତଳ ଆରକ୍ତ ହୋଇଗଲା । ସେ କୌଶିଳୀଙ୍କୁ କହିଲେ"-ଆପଣମାନେ ମନେକରିଛନ୍ତି ଯେ ମୁଁ ଶୋଇରହିଛି । କିନ୍ତୁ ପ୍ରକୃତରେ ମୁଁ ସଂପୂର୍ଣ୍ଣ ଭାବରେ ଜାଗ୍ରତ ଅଛି ।"

 

ଗୌତମ ଦେଖିଲେ, ରାଣୀ କ୍ରୁଦ୍ଧ ହେଲେଣି । ସେ ଗଣଦାସଙ୍କୁ କହିଲେ- ମହାରାଣୀଙ୍କ ଯୋଗେ ତୁମେ ରକ୍ଷାପାଇଗଲ । ନୋହିଲେ ତୁମକୁ ଉପହସିତ ହେବାକୁ ପଡ଼ିଥାନ୍ତା । କିନ୍ତୁ ମନେରଖିଥାଅ, ଶିକ୍ଷକର ଯୋଗ୍ୟତା ପ୍ରମାଣିତ ହୁଏ ଶିକ୍ଷାଦାନରେ; ନିଜ ଜ୍ଞାନରେ ନୁହେଁ ।

 

ଗଣଦାସ ଉତ୍ତେଜିତ ସ୍ୱରଚେ ମହାରାଣୀଙ୍କୁ କହିଲେ- ମୋର ଶିକ୍ଷାଦ୍ୱାରା ମୁଁ ମୋର ଯୋଗ୍ୟତାର ପ୍ରମାଣ ଦେବାକୁ ପ୍ରସ୍ତୁତ । ଯଦି ମୋତେ ଏହି ସୁଯୋଗରୁ ବଂଚିତ କରନ୍ତି, ତେବେ ମୁଁ ବୁଝିବି, ଆପଣ ମୋ' ପ୍ରତି ବିମୁଖ ହୋଇଅଛନ୍ତି ।

 

ପ୍ରକୃତ ପକ୍ଷରେ ମହାରଣୀ ଗଣଦାସଙ୍କୁ ବିଶେଷ ଆଦର କରୁଥିଲେ ଓ ତାଙ୍କର କୃତିତ୍ୱ ବିଷୟରେ ସେ ଉଚ୍ଚ ଧାରଣା ପୋଷଣ କରୁଥିଲେ । ଗଣଦାସଙ୍କର ଏହି ଅଭିମାନପୂର୍ଣ୍ଣ ଉକ୍ତିରେ ସେ ବିଚଳିତ ହୋଇ କହିଲେ- " ଆପଣଙ୍କର ଯାହା ଇଛା ତାହା କରନ୍ତୁ, ମୁଁ ସେଥିରେ ହସ୍ତକ୍ଷେପ କରିବାକୁ ଚାହେଁନାହିଁ । ଶିକ୍ଷା ଉପରେ ଗୁରୁଙ୍କର ପୂର୍ଣ୍ଣ ଅଧିକାର ।"

 

ଗୁରୁ ଦୁହିଁଙ୍କର ଶିକ୍ଷାଦାନ ବିଷୟରେ ପ୍ରତିଯୋଗିତା ହେବା ଏବେ ସ୍ଥିର ହୋଇଗଲା ଓ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଗଲା । କୌଶିଳୀ ପ୍ରସ୍ତାବ ଦେଲେ ଯେ ପ୍ରତ୍ୟେକ ଛାତ୍ରୀ ଶର୍ମିଷ୍ଠାଙ୍କ ଦ୍ୱାରା ରଚିତ ‘ଛଳିକ’ ନାଟକରୁ ଗୋଟିଏ ଦୃଶ୍ୟ ଅଭିନୟ କରିବେ । ଏହି ଦୃଶ୍ୟଟିର ଅଭିନୟ ବିଶେଷ କଷ୍ଟକର । ତେଣୁ ଯାହାର ଅଭିନୟ ଶ୍ରେଷ୍ଠ ହେବ, ତାଙ୍କର ଗୁରୁ ପ୍ରଶଂସାର ପାତ୍ର ହେବେ । ଗଣଦାଣ ଓ ହରଦତ୍ତ ଉଭୟେ ଏହି ପ୍ରସ୍ତାବରେ ସ୍ୱୀକୃତ ହେଲେ । ମହାରାଣୀ ଗଣଦାସଙ୍କୁ କହିଲେ- ଇଶ୍ୱରଙ୍କ କୃପାରୁ ତୁମ୍ଭେ ଏ ପ୍ରତିଯୋଗିତାରେ ବିଜୟୀ ହେବ ବୋଲି ମୋର ଆଶା ।

 

।।ଦୁଇ।।

ନିର୍ଦ୍ଧାରିତ ଦିବସ ଉପସ୍ଥିତ ହେଲା । ଯଥା ସୟରେ ରାଜା, ମହାରାଣୀ ଧାରିଣୀ, କୌଶିକୀ ଓ ଗୌତମ ଆସି ରଙ୍ଗାଳୟରେ ଦର୍ଶକମାନଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ଆସନରେ ବସିଲେ । ରଙ୍ଗମଞ୍ଚରେ ଯବନିକା ଅନ୍ତରାଳରୁ ମଧୁର ବାଦ୍ୟଧ୍ୱନି ଶୁଣାଯାଉଥିଲା । ମାଳବିକାଙ୍କୁ ଦେଖିବା ଲାଗି ରାଜା ଏଡ଼େ ଅଧୀର ହୋଇଥିଲେ ଯେ ବିଳମ୍ବ ସହିପାରୁ ନଥିଲେ । ତାଙ୍କର ମନେହେଉଥିଲା ସେ ଯବନିକାକୁ ଛିଣ୍ତାଇ ଫିଙ୍ଗିଦିଅନ୍ତେ ଓ ମାଳବିକାକୁ ଦେଖି ନୟନ ସାର୍ଥକ କରନ୍ତେ । କିନ୍ତୁ ଶିଷ୍ଟାଚାର ତାଙ୍କୁ ବାଧ୍ୟକରି ବସାଇ ରଖିଥିଲା ।

 

ଯାହାହେଉ ଅଳ୍ପ ସମୟ ପରେ ଗଣଦାସ ଓ ହରଦତ୍ତ ଦଣାଇଦେଲେ ଯେ ସେମାନଙ୍କ ଶିଷ୍ୟ ଦୁହେଁ ଅଭିନୟ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ କେବଳ ମହାରାଜାଙ୍କ ଅନୁମତି ନିମନ୍ତେ ଅପକ୍ଷା ।

 

ରାଜା କୌଶିକୀଙ୍କୁ ପଚାରିଲେ, "ବର୍ତ୍ତମାନ ଦୁହିଁଙ୍କ ମଧ୍ୟରୁ କାହାର ଶିଷ୍ୟା ପ୍ରଥମେ ଅଭିନୟ କରିବେ ?"

କୌଶିକୀ ଉତ୍ତର କଲେ, "ଦୁହେଁଯାକ ସଙ୍ଗୀତବିଦ୍ୟାରେ କେହି କାହାଠାରୁ ଊଣା ନୁହନ୍ତି । ତେଣୁ ଗଣଦାସ ବୟୋଜ୍ୟେଷ୍ଠ ହୋଇଥିବାରୁ ତାଙ୍କୁ ପ୍ରଥମେ ସୁଯୋଗ ଦେବା ଉଚିତ୍ ହେବ ।"

 

ରାଜା ଆଦେଶ ଦେଲେ- ପ୍ରଥମେ ଗଣଦାସଙ୍କ ଶିଷ୍ୟ ଅଭିନୟ ପ୍ରଦର୍ଶନ କରନ୍ତୁ ।

ଯବନିକା ଅପସାରିତ ହୁଅନ୍ତେ ଗଣଦାସଙ୍କ ଶିଷ୍ୟା ମାଳବିକା ମଞ୍ଚଉପରେ ଅବତୀର୍ଣ୍ଠ ହେଲେ । ମହାରାଣୀଙ୍କ ଅଭିଳାଷ ଅନୁସାରେ ମାଳବିକା ଆଡ଼ମ୍ବରପୂର୍ଣ୍ଣ ବେଶଭୂଷା ପରିବର୍ତ୍ତେ ସାଦାସିଧା ଅଳଙ୍କାର ଓ ସାଧାରଣ ବସ୍ତ୍ର ପରିଧାନ କରିଥିଲେ । ତଥାପି ସେହି ବେଶଭୂଷାରେ ସେ ଅପୂର୍ବ ସୁନ୍ଦରୀ ଦେଖାଯାଉଥିଲେ । ରାଜା ଏକଦୃଷ୍ଟିରେ ତାଙ୍କୁ ଚାହିଁରହିଲେ । ତାଙ୍କ ଚକ୍ଷୁରେ ପଲକ ପଡ଼ିଲା ନାହିଁ ।

 

ଗୌତମ ରାଜାଙ୍କ ନିକଟରେ ବସିଥିଲେ ସେ ରାଜାଙ୍କୁ ଏପରି ତନ୍ମୟ ହୋଇ ଚାହିଁଥିବାର ଦେଖି ତାଙ୍କ କାନ ପାଖରେ କହିଲେ- "ମାଳବିକା ଦେଖିବାକୁ କିପରି ?"

 

ରାଜା ସେହିପରି ଅନୁଚ୍ଚ ସ୍ୱରରେ ଉତ୍ତର କଲେ– ବୟସ୍ୟ, ମୁଁ ଭାବିଥଲି, ମାଳବିକା ଚିତ୍ରପଟରେ ଯେଡ଼େ ସୁନ୍ଦରୀ ଦେଖାଯାଉଛନ୍ତି, ପ୍ରକୃତରେ ସେତେ ସୁନ୍ଦରୀ ହୋଇନଥିବେ । କିନ୍ତୁ ଏବେ ତାଙ୍କୁ ସ୍ୱଚକ୍ଷୁରେ ଦେଖି ମୋର ବିଶ୍ୱାସ ଜନ୍ମିଅଛି ଯେ ଚିତ୍ରକର ଯଥାର୍ଥଭାବରେ ତାଙ୍କର ସୌନ୍ଦର୍ଯ୍ୟ ଚିତ୍ରପଟରେ ଚିତ୍ରଣ କରିପାରି ନାହାନ୍ତି ।

 

ମାଳବିକା ପ୍ରଥମେ ରାଜା ଓ ଅନ୍ୟାନ୍ୟ ଦର୍ଶକମାନଙ୍କୁ ଯଥାବିଧି ପ୍ରଣାମ ଜଣାଇ ଗୁରୁଦେବଙ୍କର ଆଦେଶକୁ ଅପେକ୍ଷା କରି ରହିଲେ ଗଣଦାସ । ମଞ୍ଚଉପରକୁ ଉଠିଯାଇ କହିଲେ- ବତ୍ସ, ରଙ୍ଗମଞ୍ଚରେ ଲଜ୍ଜା ତ୍ୟାଗକରି ସ୍ୱଚ୍ଛନ୍ଦରେ ତୁମର ଅଭିନୟ ପ୍ରଦର୍ଶନ କର ।

 

ମାଳିବିକା ପ୍ରଥମେ ଗୋଟିଏ ସଙ୍ଗୀତ ଗାନକଲେ-

ପ୍ରିୟତମ ମୋର            ଦୁର୍ଲଭ ରତନ;

ମନ, ତାଙ୍କ ଆଶା ତେଜ

ଏ ବାମ ଅପାଙ୍ଗ            ସ୍ଫୁରୁଛି କାହିଁକି

ଜାଣି ନ ପାରଇ ଆଜ ।

କେତେ ଦିନୁ ଲଭି-            ଅଛି ଦରଶନ,

ଲଭିବି ତାଙ୍କୁ କେସନ,

ଚାହିଁଛି ତୁମକୁ            ସଦା ପ୍ରୀୟତମ,

ମାତ୍ର ମୁଁ ପର-ଅଧୀନ ।

 

ମାଳବିକାଙ୍କର ମଧୁର ସ୍ୱର, ଛନ୍ଦୋମୟ ନୃତ୍ୟ, ସର୍ବୋପରି ତାଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଦର୍ଶକମାନଙ୍କୁ ବିମୁଗ୍ଧ କରିଦେଲା । ଗୌତମ ନିମ୍ନ-ସ୍ୱରରେ ରାଜାଙ୍କୁ କହିଲେ, "ବନ୍ଧୁ, ଗୀତଟି ତୁମକୁ କିପରି ଲାଗିଲା ? ମୋର ମନେହୁଏ, ସେ ଗୀତଛଳରେ ନିଜକୁ ତୁମ୍ଭଠାରେ ଅର୍ପଣ କରିଥିବାର ଜଣାଇଦେଲା ।"

 

ରାଜା କହିଲେ, "ମୁଁ ମଧ୍ୟ ଠିକ୍ ସେହିକଥା ମନେକରୁଅଛି । ଏହାଛଡ଼ା ଗୀତଟିର ଅନ୍ୟ ଉଦ୍ଦେଶ୍ୟ ଥାଇ ନ ପାରେ । କାରଣ, ମୁଁ ତୁମଠାରେ ଅନୁରକ୍ତା- ଏହା ଗୀତରେ ଜଣାଇବା ପରେ ସେ ଅଭିନୟ କାଳରେ ଧାରିଣୀ ଦେବୀ ଥିବାର ସଙ୍କେତ ଦେଇ ନିଜର ପ୍ରେମ ପ୍ରକାଶ ପାଇଁ ଅସହାୟତା ପ୍ରକାଶ କଲେ । ଗୀତଟିରେ ଯେ ମୋତେ ଲକ୍ଷ୍ୟ କରାଯାଇଅଛି ଏଥିରେ ସନ୍ଦେହ ନାହିଁ ।

 

ମାଳବିକା ଅଭିନୟ ଶେଷରେ ଦର୍ଶକମାନଙ୍କୁ ପ୍ରଣାମକରି ରଙ୍ଗମଞ୍ଚରୁ ଚାଲିଯିବାକୁ ଉଦ୍ୟତ ହେଉଛନ୍ତି, ଏହି ସମୟରେ ଗୌତମ ଉଠିପଡ଼ି କହିଲେ, "ବର୍ତ୍ତମାନ ଚାଲିଯିବାର ସମୟ ହୋଇନାହିଁ । ଅଭିନୟର ପ୍ରକୃତ ଉଦ୍ଦେଶ୍ୟ ଶେଷ ହୋଇନାହିଁ ।"

 

ମାଳବିକା ମଞ୍ଚଉପରେ ଛିଡ଼ା ହୋଇ ରହିଲେ । ଗଣଦାସ କହିଲେ, "ବତ୍ସେ, ଦର୍ଶକମାନଙ୍କ ଅନୁମତି ମିଳିବା ପର୍ଯ୍ୟନ୍ତ ଅପେକ୍ଷାକର ।"

 

ତଦନନ୍ତର ଗଣଦାସ ଦର୍ଶକମାନଙ୍କୁ ମାଳବିକାଙ୍କ ଅଭିନୟ ବିଷୟରେ ମତ ପ୍ରକାଶ କରିବାକୁ ଅନୁରୋଧ କଲେ । ଗୌତମ କହିଲେ- ପ୍ରଥମେ ପରିବ୍ରାଜିକା କୌଶିକୀ ତାଙ୍କର ମତ ଦିଅନ୍ତୁ ।

 

"ମୁଁ ମାଳବିକାଙ୍କ ଅଭିନୟରେ ସନ୍ତୋଷ ଲାଭ କରିଅଛି । ସ୍ୱର, ତାଳ, ଲୟ, ନୃତ୍ୟ, ଅଙ୍ଗଭଙ୍ଗୀ- ଏସବୁ ଦିଗରୁ ବିଚାରକରି ମୁଁ କହିପାରେ ଯେ ମାଳବିକା ପ୍ରଶଂସାର ପାତ୍ର ।" -କୌଶିକୀ କହିଲେ ।

 

ରାଜା କହିଲେ, "ମୁଁ ମଧ୍ୟ ପରମ ସନ୍ତୋଷ ଲାଭ କରିଅଛି ।"

ରାଣୀ ଗଣଦାସଙ୍କୁ ଲକ୍ଷ୍ୟକରି ପଚାରିଲେ-ଏ ଅଭିନୟରେ କିଛି ତ୍ରୁଟି ଥିବାର ଗୌତମଙ୍କ କଥାରୁ ଅନୁମିତ ହୁଏ । ଆପଣଙ୍କର ସେ ବିଷୟରେ ମତ କ'ଣ ?

 

ଗଣଦାସ ମାଳବିକାଙ୍କ ନୃତ୍ୟର ଦୋଷଗୁଣ ପ୍ରକାଶ କରିବାକୁ ଅନୁରୋଧ କଲେ । ରାଣୀ କହିଲେ, "ସୁଖର କଥା, ପରୀକ୍ଷକମାନେ ଆପଣଙ୍କ କୃତିତ୍ୱରେ ସନ୍ତୋଷ ପ୍ରକାଶ କରିଅଛନ୍ତି ।"

 

ଏହି ସମୟରେ ଗୌତମ କହିଲେ - ମୁଁ କିନ୍ତୁ ଗୋଟିଏ ବଡ଼ ଦୋଷ ଦେଖିଛି । ପ୍ରଥମ ଅଭିନୟ ପ୍ରଦର୍ଶନ ବେଳେ ଆଗେ ବ୍ରାହ୍ମଣଙ୍କୁ ପୂଜାକରିବା ଉଚିତ- ମାଳବିକା ସେ କଥାଟି ଭୁଲିଯାଇଛନ୍ତି ।

 

ସମସ୍ତେ ହସିଉଠିଲେ ପରିବ୍ରାଜିକା କହିଲେ, "ବାଃ, ଏ କ'ଣ ନାଟ୍ୟବିଦ୍ୟାର ଗୋଟିଏ ଅଙ୍ଗ ?"

ତହୁଁ ଗୌତମ ରାଜାଙ୍କ ହାତରୁ ଗୋଟିଏ କଙ୍କଣ ବାହାର କରି ଆଣି ମାଳବିକାଙ୍କୁ ପୁରସ୍କାର ରୂପେ ଦେବାପାଇଁ ରଙ୍ଗମଞ୍ଚ ଉପରକୁ ଉଠି ଯାଉଥିଲେ । ଏହି ସମୟରେ ରାଣୀ ତାଙ୍କୁ ବାରଣ କରି କହିଲେ- "ଏ କ'ଣ ? ଦୁଇଜଣଙ୍କର ପ୍ରତିଯୋଗିତା ହେଉଛି ଅନ୍ୟ ଜଣଙ୍କର ଅଭିନୟ ନ ଦେଖି ଜଣକୁ ତା’ ର କୃତିତ୍ୱ ପାଇଁ ପୁରସ୍କାର ଦେବା ଅନୁଚିତ ହେବ ।" ଗୌତମ ହସି ହସି କହିଲେ- "କଙ୍କଣଟି ତ ମୋର ନୁହେଁ । ଅନ୍ୟର ଜିନିଷ ଦେଇପକାଇବା ପାଇଁ ମୋର ବିଳମ୍ବ ସହୁନାହିଁ ।" ଏହା କହି ଗୌତମ ପୁଣି କଙ୍କଣଟିକୁ ରାଜାଙ୍କ ହାତରେ ପିନ୍ଧାଇଦେଲେ ।

 

ଧାରିଣୀ ଦେବୀ ଗଣଦାସଙ୍କୁ ପଚାରିଲେ- ଆପଣଙ୍କ ଶିଷ୍ୟାର ଅଭିନୟ ଶେଷ

ହେଲା ତ ?

 

ଗଣଦାସ ଉତ୍ତର କଲେ- " ହଁ ମହାରାଣୀ ।" ତତ୍ପରେ ଗଣଦାସ ମାଳବିକାଙ୍କୁ କହିଲେ - "ବତ୍ସେ, ଏବେ ତୁମେ ରଙ୍ଗମଞ୍ଚ ତ୍ୟାଗକରିପାର ।"

 

ଗଣଦାସ ମାଳବିକାଙ୍କ ସହ ରଙ୍ଗମଞ୍ଚରୁ ଚାଲିଯାଆନ୍ତେ ହରଦତ୍ତ କହିଲେ, ଏବେ ଆପଣମାନେ ଅନୁମତି ଦେଲେ ମୋର ଶିଷ୍ୟା ଆସି ତା' ର ଅଭିନୟ ପ୍ରଦର୍ଶନ କରିବ ।

 

ଯେଉଁ ଉଦ୍ଦେଶ୍ୟରେ ରାଜା ଗୌତମଙ୍କ ସାହାଯ୍ୟରେ ଏହି ଅଭିନୟ ପ୍ରତିଯୋଗିକା ଆରମ୍ଭ କରାଇଥିଲେ, ସେ ଉଦ୍ଦେଶ୍ୟ ପୂର୍ଣ୍ଣମାତ୍ରାରେ ସଫଳ ହୋଇ ସାରିଥିଲା । ହରଦତ୍ତଙ୍କ ଶିଷ୍ୟାର ଅଭିନୟ ଦେଖିବା ପାଇଁ ରାଜାଙ୍କର ଆଦୌ ଆଗ୍ରହ ନଥିଲା । କିନ୍ତୁ ବାହାରେ ନିରପେକ୍ଷତା ଦେଖାଇବା ଓ ଭଦ୍ରତା ରକ୍ଷା କରିବା ଉଦ୍ଦେଶ୍ୟରେ ସେ କହିଲେ- ନିଶ୍ଚୟ, ଆପଣଙ୍କ ଛାତ୍ରୀର ଅଭିନୟ ଦେଖିବାକୁ ଆମ୍ଭେମାନେ ଅପେକ୍ଷା କରି ରହିଛୁ ।

 

ହରଦତ୍ତ ଆଉ କିଛି କହିବା ପୂର୍ବରୁ କେତେଜଣ ରାଜାସେବକ ଆସି ଜଣାଇଲେ- ମହାରାଜ, ମଧ୍ୟାହ୍ନ ସମୟ ଉପସ୍ଥିତ । ଭୋଜନବେଳା ଅତିକ୍ରାନ୍ତ ହୋଇଆସୁଛି ।

 

ଏହି ସୁଯୋଗ ନେଇ ଗୌତମ କହିଲେ- ଆରେ, ବ୍ରାହ୍ମଣର ଭୋଜନ ସମୟ ହୋଇଗଲାଣି । କବିରାଜମାନେ କହନ୍ତି ଯେ, ନିର୍ଦ୍ଦିଷ୍ଟ ସମୟରେ ଭୋଜନ ନକଲେ ଘୋର ଅନିଷ୍ଟ ହୁଏ । ହରଦତ୍ତ, ଏବେ ତୁମେ କ'ଣ କହୁଛ ?

 

ହରଦତ୍ତ ଅଗତ୍ୟା ଉତ୍ତର କଲେ - ଏପରି ପରିସ୍ଥିତିରେ ମୋର କହିବାର କ'ଣ ଥାଇପାରେ ?

ରାଜା କହିଲେ, " ତାହେଲେ କାଲି ଆପଣଙ୍କ ଯୋଗ୍ୟତାର ପରୀକ୍ଷା ହେବ । ଆଜି ଦିନଟି ଆପଣ ଅପେକ୍ଷା କରନ୍ତୁ ।" ତହୁଁ ହରଦତ୍ତ ବିଦାୟ ନେଲେ । ପରିବ୍ରାଜିକା ଓ ରାଣୀ ଚାଲିଯାଆନ୍ତେ ବିଦୂଷକ ରାଜାଙ୍କୁ କହିଲେ, " ମିତ୍ର, ଦେଖିଲ, ମାଳବିକା ଯେ କେବଳ ରୂପରେ ଅଦ୍ୱିତୀୟ ତାହା ନୁହେଁ, କଳାବିଦ୍ୟାରେ ମଧ୍ୟ ସେ ଅତୁଳନୀୟ ।"

 

ରାଜା ଗୌତମଙ୍କୁ ସମର୍ଥନ କରି କହିଲେ, "ଯଥାର୍ଥ କହିଅଛ । ମୋର ମନେହୁଏ, ବିଧାତା ଏହି ସ୍ୱଭାବସୁନ୍ଦରୀ ମାଳବିକାକୁ କାମଦେବର ବିଷଲିପ୍ତ ବାଣରୂପେ ସୃଷ୍ଟି କରିଅଛି । ଏଣିକି ତୁମକୁ ମୋ ବିଷୟ ଚିନ୍ତା କରିବାକୁ ପଡ଼ିବ ।"

 

ଗୌତମ କହିଲେ, "ତୁମକୁ ମଧ୍ୟ ମୋ ବିଷୟ ଚିନ୍ତା କରିବାକୁ ହେବ । ମୋର ଉଦର ଯେ ଜଳିଯାଉଛି ।"

ରାଜା- ମିତ୍ରର କାର୍ଯ୍ୟରେ ଏବେ ଲାଗିଯାଅ ।

 

ବିଦୂଷକ- ତୁମ କାର୍ଯ୍ୟରେ ମୁଁ ବରାବର ଲାଗିରହିବି ନିଶ୍ଚୟ । କିନ୍ତୁ ବର୍ତ୍ତମାନ ମାଳବିକା ମେଘମାଳାରେ ଆଚ୍ଛନ୍ନ ଜ୍ୟୋତ୍ସ୍ନାପରି; ତା' ର ଦର୍ଶନ ପାଇବା ସୁଦ୍ଧା ପର ଉପରେ ନିର୍ଭର କରୁଅଛି-। ଏଣେ ତୁମେ ବଧସ୍ଥଳରେ ମାଂସଲୋଭୀ ଗୃଧ୍ରପରି ହେଉଛ । ଅଧୀର ହେଲେ କାର୍ଯ୍ୟ ସିଦ୍ଧ ହେବନାହିଁ ।

 

ରାଜା- ଧୈର୍ଯ୍ୟ ଧରି ରହିବି କିପରି ? ଅନ୍ତଃପୁରର ମହିଳାମାନେ ମୋ ପ୍ରତି ବିମୁଖ । ଏଣେ ଏକମାତ୍ର ମୋର ପ୍ରେମର ଆଧାର ହୋଇ ରହିଛି ।

ଏହିପରି କଥାବାର୍ତ୍ତା ହୋଇ ରାଜା ଓ ବିଦୂଷକ ଚାଲିଗଲେ ।

 

llତିନିll

ବସନ୍ତୋତ୍ସବ ଉପସ୍ଥିତ ହେଲା । ଏ ସମୟରେ କେବଳ ରାଜପୁରର ଅଧିବାସୀ କାହିଁକି, ସମଗ୍ର ନଗରୀର ନରନାରୀ ଆନନ୍ଦରେ ମତ୍ତ ହୁଅନ୍ତି । ଉତ୍ସବର ଗୋଟିଏ ପ୍ରଧାନ ଅଙ୍ଗ ହେଲା ଦେଳି ଖେଳ । ଯୁବକଯୁବତୀମାନେ ଯୁଗଳଭାବରେ ଦୋଳିରେ ବସନ୍ତି ଓ ସଙ୍ଗା-ସଙ୍ଗିନୀମାନେ ସେମାନଙ୍କୁ ଝୁଲାଉଥାନ୍ତି । ସାଧାରଣତଃ ଗୋଟିଏ ଦୋଳିରେ ପତିପତ୍ନୀ ବସିଥାନ୍ତି । ରାଜପୁରୀର ମହିଳାମାନେ ମଧ୍ୟ ଏହି ଦୋଳିଖେଳରେ ଯୋଗଦେଇଥାନ୍ତି ।

 

ଏହି ସମୟରେ ଆଉ ଗୋଟିଏ ବିଧି ପାଳିତ ହେଉଥିଲା । ରାଜଅନ୍ତଃପୁରର ହେଉ ବା ନଗରର ହେଉ, କୌଣସି ସୁନ୍ଦରୀ ଯୁବତୀକୁ ସୁବେଶ କରି ଉପବନକୁ ନିଆଯାଉଥିଲା ଓ ସେଠାରେ ମୁକୁଳିତ ହୋଇନଥିବା ଅଶୋକ ବୃକ୍ଷକୁ ସେହି ଯୁବତୀ ନିଜ ବାମ ପାଦରେ ଆଘାତ କରୁଥିଲା । ଏପରି କଲେ ସେହି ବୃକ୍ଷଟିରେ ପାଞ୍ଚଦିନ ମଧ୍ୟରେ ପୁଷ୍ପ ବିକଶିତ ହେବ ବୋଲି ସର୍ବସାଧାରଣଙ୍କର ବିଶ୍ୱାସ ଥିଲା । ପଦାଘାତ ହେତୁ ଅଶୋକ ବୃକ୍ଷରେ ପୁଷ୍ପ ଦେଖାଗଲେ ଲୋକେ ଆନନ୍ଦରେ ଅଧୀର ହେଉଥିଲେ ଓ ସେହି ଯୁବତୀର ପ୍ରଶଂସାଗାନରେ ମୁଖର ହୋଇଉଠୁଥିଲେ । ସାଧାରଣତଃ ଏହି କାର୍ଯ୍ୟ ରାଜାଙ୍କର ପ୍ରଧାନ ରାଣୀଙ୍କ ଦ୍ୱାରା ସମାହିତ ହେଉଥିଲା । କିନ୍ତୁ କୌଣସି କାରଣରୁ ସେ ଏହା କରି ନ ପାରିଲେ ରାଜଅନ୍ତଃପୁରର ଅନ୍ୟ କୌଣସି ମହିଳା ତାଙ୍କ ଆଦେଶରେ ଏହି କାର୍ଯ୍ୟର ଭାର ଗ୍ରହଣ କରୁଥିଲେ ।

 

ଦୈବାତ୍ ସେ ବର୍ଷ ରାଜମହିଷୀ ଧାରିଣୀ ଦୋଳିରେ କ୍ରୀଡ଼ା କରୁଥିବା ସମୟରେ ତଳେ ପଡ଼ିଯାଇଥିଲେ ଓ ତାହା ଫଳରେ ତାଙ୍କ ପାଦରେ ବେଦନା ଥିଲା । ଏଣେ ରାଜ-ଉଦ୍ୟାନରେ ଅଶୋକ ବୃକ୍ଷକୁ ପଦାଘାତ କରିବାର ସମୟ ଉପସ୍ଥିତ । ଧାରିଣୀ ଦେବୀ ପାଦପୀଡ଼ାରେ ଶଯ୍ୟାଶାୟିନୀ ଥିବାରୁ ସେ ନିଜର ପ୍ରିୟ ସହଚରୀ ମାଳବିକାଙ୍କୁ ସେହି କାର୍ଯ୍ୟ ସମାଧାନ କରିବାର ଭାର ଅର୍ପଣ କଲେ ।

 

ସାନରାଣୀ ଇରାବତୀ ଉତ୍ସବ ଉପଭୋଗ କରିବା ନିମନ୍ତେ ପ୍ରମୋଦ ଉଦ୍ୟାନରେ ରାଜାଙ୍କ ସହିତ ଦୋଳି ଖେଳିବା ପାଇଁ ତାଙ୍କୁ ନିମନ୍ତ୍ରଣ ଜଣାଇଲେ । କିନ୍ତୁ ସେତେବେଳକୁ ରାଜା ମାଳବିକାଙ୍କ ଚିନ୍ତାରେ ନିମଗ୍ନ ଥିଲେ । ଇରାବତୀଙ୍କ ସଂଗେ ଦୋଳି ଖେଳିଲେ ସେ ନିଶ୍ଚୟ ପତିଙ୍କର ଅନ୍ୟମନସ୍କତାର କାରଣ ଅନୁମାନ କରିପାରିବେ । ପତି ଅନ୍ୟ ଯୁବତୀର ପ୍ରେମରେ ଆସକ୍ତ- ଏହା କେହି ପତ୍ନୀକୁ ଜଣାଇବାକୁ ଇଚ୍ଛା କରନ୍ତି ନାହିଁ । ତେଣୁ ରାଜା ରାଣୀ ଇରାବତୀଙ୍କର ଅନୁରୋଧ ରକ୍ଷା କରିବାକୁ କୁଣ୍ଠା ପ୍ରକାଶ କଲେ । ରାଜାଙ୍କର ଏହି ମନୋଭାବ ଜାଣିପାରି ଗୌତମ ରାଜାଙ୍କୁ ପରାମର୍ଶ ଦେଇ କହିଲେ- ସଖେ, ଏ ସମୟରେ ଧାରିଣୀ କିମ୍ବା ଇରାବତୀ କୌଣସି ରାଣୀଙ୍କ ମନରେ ଦୁଃଖ ଦେଲାଭଳି କୌଣସି କାର୍ଯ୍ୟ କରିବା ଅନୁଚିତ । ସେପରି କଲେ ସେମାନେ ଅସନ୍ତୁଷ୍ଟ ହେବେ ଓ ନିଜର ଉଦ୍ଦେଶ୍ୟ ସାଧାନରେ ବିଘ୍ନ ଉପସ୍ଥିତ ହୋଇପାରେ ।

 

ଗୌତମଙ୍କର ଉପଦେଶ ଅନୁସାରେ ରାଜା ତାଙ୍କୁ ସଙ୍ଗରେ ଘେନି ପ୍ରମୋଦ ଉଦ୍ୟାନକୁ ଗଲେ । ଉପବନର ପୁଷ୍ପସମ୍ଭାର ଦେଖି ଉଭୟେ ମୁଗ୍ଧ ହୋଇଗଲେ । ରାଜା କହିଲେ, " ମିତ୍ର, ଉଦ୍ୟାନର ଶୋଭା ଦେଖିଲେ ମୋର ମନେହୁଏ, ସତେ ଅବା ବନଲକ୍ଷ୍ମୀ ପୁଷ୍ପରାଶିରେ ନିଜକୁ ସୁଶୋଭିତ କରି ବିରାଜିତ ହୋଇଅଛନ୍ତି । ଯୁବତୀମାନଙ୍କର ବହୁମୂଲ୍ୟ ବସ୍ତ୍ର ଓ ଅଳଙ୍କାର ବନଲକ୍ଷ୍ମୀଙ୍କ ସୌନ୍ଦର୍ଯ୍ୟ ନିକଟରେ ମଳିନ ଦେଖାଯାଉଅଛି ।"

 

ସେତେବେଳକୁ ଇରାବତୀ ଉପବନକୁ ଆସିନଥିଲେ । ତେଣୁ ରାଜା ଓ ବିଦୂଷକ ଗୋଟିଏ ପୁଷ୍ପିତ କୁଞ୍ଜ ନିକଟକୁ ଗଲେ । ଏହି ସମୟରେ ମାଳବିକା ଗୋଟିଏ ଅଶୋକ ବୃକ୍ଷ ନିକଟକୁ ଯାଉଥିବାର ଦେଖି ସେ ଦୁହେଁ କୁଞ୍ଜରେ ଲୁଚି ରହି ଲକ୍ଷ୍ୟ କରିବାକୁ ଲାଗିଲେ । ସେମାନେ ଏପରି ରହିଥିଲେ ଯେ ଅନ୍ୟ କେହି ସେମାନଙ୍କୁ ଦେଖିବାର ସମ୍ଭାବନା ନଥିଲା; କିନ୍ତୁ ସେମାନେ ସବୁ ଦେଖିପାରୁଥିଲେ ।

 

ମାଳବିକା ଅଶୋକ ବୃକ୍ଷ ନିକଟରେ ବସିପଡ଼ିଲେ । ଏହି ସମୟରେ ଧାରିଣୀ ଦେବୀଙ୍କର ବକୁଳାବଳିକା ବୋଲି ଜଣେ ପରିଚାରିକା ତାଙ୍କ ନିକଟକୁ ଆସିଲା । ସେ ହାତରେ ବଡ଼ରାଣୀଙ୍କର ନୂପୁର ଯୋଡ଼ିକ ଧରିଥିଲା । ବକୁଳାବଳିକାକୁ ଦେଖି ଗୌତମ ଆନନ୍ଦିତ ହେଲେ; କାରଣ ଏଥିପୂର୍ବରୁ ସେ ଏହି ପରିଚାରିକାକୁ ଅର୍ଥଦ୍ୱାରା ବଶୀଭୂତ କରି ରାଜାଙ୍କର ମାଳବିକାଙ୍କ ପ୍ରତି ପ୍ରଗାଢ଼ ଅନୁରାଗ ବିଷୟ ମାଳବିକାଙ୍କୁ ଜଣାଇବାକୁ କହିଥିଲେ ଓ ମାଳବିକାଙ୍କ ସହିତ ରାଜାଙ୍କର ସାକ୍ଷାତ ଘଟାଇବା ପାଇଁ ଅନୁରୋଧ କରିଥିଲେ । ତେଣୁ ବକୁଳାବଳିକା କଅଣ କରିବ ତାହା ଦେଖିବା ପାଇଁ ଗୌତମଙ୍କର ସ୍ୱତଃ କୌତୂହଳ ଜନ୍ମିଥିଲା ।

 

ମାଳବିକା ରାଜାଙ୍କ ବିଷୟ ଚିନ୍ତାକରି ଉଦାସୀନ ଭାବରେ ଅଶୋକ ମୂଳରେ ବସିଥିଲେ । ପ୍ରଥମ ଦର୍ଶନରୁ ହିଁ ସେ ରାଜାଙ୍କଠାରେ ନିଜର ହୃଦୟ ଅର୍ପଣ କରିସାରିଥିଲେ । କିନ୍ତୁ ତାଙ୍କୁ ଲାଭକରିବା ଯେ କିପରି ଦୁଃସାଧ୍ୟ ତାହା ଚିନ୍ତାକରି ସେ ନୈରାଶ୍ୟରେ ବୁଡ଼ିଯାଇଥିଲେ । ଏହି ସମୟରେ ବକୁଳାବଳିକା କହିଲା, "ଗୋଟିଏ ପାଦ ଦେଖାଅ, ମୁଁ ସେଥିରେ ଅଲକ୍ତକରେ ଚିତ୍ର କରିଦିଏଁ ।"

 

କିନ୍ତୁ ନିଜର ପାଦକୁ ଅନ୍ୟ ଜମେ ଧରି ଚିତ୍ର କରିବ, ଏହା ମାଳବିକାଙ୍କୁ ଉଲ ଲାଗିଲା ନାହିଁ । ସେ ନିତାନ୍ତ ଲଜ୍ଜା ଅନୁଭବ କଲେ । ବକୁଳାବଳିକା ତାଙ୍କର କୁଣ୍ଠାଭାବ ଦେଖି ନିଜେ ତାଙ୍କର ଗୋଟିଏ ପାଦ ଥରି ତାକୁ ଅଳକାରେ ରଞ୍ଜିତ କରିବାକୁ ଲାଗିଲା । ମାଳବିକା ଅନନ୍ୟୋପାୟ ହୋଇ ରହିଲେ । ତହୁଁ ବକୁଳାବଳିକା କହିଲା, "ସଖି, ଏଥିରେ ଏତେ ଲଜ୍ଜା ତରିବାର କ'ଣ ଅଛି ? ସଖି, ମୋତେ ପର ବୋଲି ଭାବୁଛ କାହିଁକି ? ମୁଁ ତୁମକୁ ମୋର ଗୋଟିଏ ଅଙ୍ଗ ପରି ମନେକରୁଛି ।" -ଏହା କହି ବକୁଳାବଳିକା ମାଳବିକାଙ୍କର ପାଦ ଦୁଇଟିକୁ ଗୋଟିକ ପରେ ଗୋଟିଏ ଅଳତାରେ ଚିତ୍ର କରିଦେଲା । ତତ୍ପରେ ସେ କହିଲା, "ସଖି, ଏବେ ଦେଖିଲ, ତୁମର ପାଦଯୋଡ଼ିକ କି ସୁନ୍ଦର ଦିଶିଲା ?"

 

ମାଳବିକା କହିଲେ, "ମୋର ନିଜର ପାଦ ବିଷୟରେ କିଛି କହିବାକୁ ମୋର ମଜ୍ଜା ହେଉଅଛି । କିନ୍ତୁ ତୁମର ଏହି ଚିତ୍ରକଳାର ପ୍ରଶଂସା ନକରି ରହିପାରୁନାହିଁ । ଏ ବିଦ୍ୟା ତୁମେ କେଉଁଠାରୁ ଶିଖିଲ ?"

 

ବକୁଳାବଳିକା ହସି ହସି କହିଲା, "ମୋର ସ୍ୱାମୀଙ୍କଠାରୁ ମୁଁ ଏ ବିଦ୍ୟା ଶିଖିଛି । ମୁଁ ଯେତେ ବାରଣ କଲେ ସୁନ୍ଧା ସେ ମୋର ପାଦରେ ଅଳତା ଚିତ୍ର କରି ଦିଅନ୍ତି । ଏ ବିଦ୍ୟାରେ ସେ ନିପୁଣ ।"

 

ମାଳବିକା ପରିହାସ କରି କହିଲେ, "କାହାରିଠାରୁ କୌଣସି ବିଦ୍ୟା ଶିଖିଳେ ତୁରୁଦକ୍ଷିଣା ଦେବାର କଥା-ତୁମେ କ'ଣ ଦେଇଛ ?"

 

"ସେ କଥା ମୁଁ କହିବି । କିନ୍ତୁ ଦେଖ, ତୁମର ପାଦ ଦୁଇଟି କିପରି ଭୂମି ଉପରେ ଦୁଇଟି ରକ୍ତପଦ୍ମପରି ଶୋଭା ପାଉଅଛି । ମହାରାଜା ତ ସେହି ପାଦଯୋଡ଼ିକ ପାଇଁ ଅଧୀର ହୋଇପଡ଼ିଛନ୍ତି ।"

 

ମାଳବିକା ଚକିତ ହୋଇପଡ଼ିଲେ । ରାଜା ଯେ ତାଙ୍କ ପ୍ରତି ଆସକ୍ତ ତାହା ମାଳବିକାଙ୍କୁ ଜଣାନଥିଲା । ସେ କହିଲେ, "ସଖି, ଏ କ'ଣ କହୁଛ ? ରାଜାଙ୍କୁ କେଉଁ ସୁନ୍ଦରୀ ମିଳିବେ ନାହିଁ ଯେ ସେ ମୋତେ ଚାହିଁବେ ? ମୋ'ଠାରେ ରାଜାଙ୍କ ମନ ନେବା ଭଳି ସୌନ୍ଦର୍ଯ୍ୟ କାହିଁ ?"

 

ବକୁଳାବଳିକା କହିଲେ, "ସେ କଥା ତୁମେ କାହୁଁ ଜାଣିବ ? କେହି କ'ଣ ନିଜର ସୌନ୍ଦର୍ଯ୍ୟ ଜାଣିପାରେ ? କିନ୍ତୁ ମୋ କଥା ଯେ ସତ, ଏଥିରେ ସନ୍ଦେହ ନାହିଁ । ରାଜା ତୁମ ସୌନ୍ଦର୍ଯ୍ୟରେ ମୁଗ୍ଧ । ସେ କଥା ସେ ନିଜେ ଗୌତମଙ୍କ ହାତରେ ମୋତେ ଜଣାଇ ସାରିଛନ୍ତି । ସେ ତୁମକୁ ପାଇବାପାଇଁ ଅଧୀର ହୋଇ- ପଡ଼ିଛନ୍ତି ।"

 

ମାଳବିକା ଓ ବକୁଳାବଳିକାଙ୍କ ମଧ୍ୟରେ ଏହିପରି ଆଲୋଚନା ଚାଲିଥିବା ସମୟରେ ରାଜା ଓ ଗୌତମ କୁଞ୍ଜ ମଧ୍ୟରେ ଲୁଚି ରହି ସେମାନଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲେ ଓ ସେମାନଙ୍କର କଥୋପକଥନ ଶୁଣୁଥିଲେ ।

 

ଏଥି ମଧ୍ୟରେ ରାଣୀ ଇରାବତୀ ଉଦ୍ୟାନରେ ପ୍ରବେଶ କରି ଦୋଳିଗୃହକୁ ଗଲେ; କିନ୍ତୁ ସେଠାରେ ସେ ରାଜାଙ୍କୁ ଦେଖିପାରିଲେ ନାହିଁ । ସେ ମନେକଲେ ଯେ ରାଜା ତାଙ୍କୁ ପରିହାସ କରିବାପାଇଁ କୌଣସି ପତ୍ରପୁଷ୍ପପୂର୍ଣ୍ଣ ବୃକ୍ଷ ଅନ୍ତରାଳରେ ଲୁଚିରହିଥିବେ । ତେଣୁ ସେ ଉଦ୍ୟାନରେ ବୁଲି ରାଜାଙ୍କୁ ଖୋଜିବାକୁ ଲାଗିଲେ ।

 

ରାଣୀ ଇରାବତୀ ଦେଖିଲେ, ମାଳବିକା ଗୋଟିଏ ଅଶୋକତରୁ ମୂଳରେ ବସିଛନ୍ତି ଓ ବକୁଳାବଳିକା ତାଙ୍କ ପାଦରେ ନୂପୁର ପିନ୍ଧାଇ ଦେଉଅଛି । ରାଜା ନିକଟରେ ଗୋଟିଏ ପତ୍ରବହୁଳ ବୃକ୍ଷର ଅନ୍ତରାଳରୁ ସେହି ଦୃଶ୍ୟ ଦେଖୁଅଛନ୍ତି । ମାଳବିକାଙ୍କ ପ୍ରତି ରାଜାଙ୍କର ସସ୍ନେହ ଦୃଷ୍ଟି ଇରାବତୀଙ୍କ ମନରେ ଘୋର ଇର୍ଷା ଜନ୍ମାଇଲା ଓ ସେ କ୍ରୋଧାନ୍ଧ ହୋଇପଡ଼ିଲେ । କିନ୍ତୁ ଏହା ପରେ କ'ଣ ଘଟିବ ତାହା ଦେଖିବା ପାଇଁ ସେ ନିଜର କ୍ରୋଧକୁ ଦମନ କରି ଅପେକ୍ଷା କଲେ ।

 

ବକୁଳାବଳିକା ନୂପୁର ପିନ୍ଧାଇ ସାରି କହିଲା, "ସଖି, ଏବେ ଛିଡ଼ାହୁଅ । ଅଶୋକମୂଳକୁ ଯାଇ ବାମପାଦରେ ତାକୁ ଆଘାତ କର ।’’ ମାଳବିକା ସଲଜ୍ଜ ଭାବରେ ସେହି ଅଶୋକ ବୃକ୍ଷକୁ ବାମପାଦରେ ସ୍ପର୍ଶକଲେ ।

 

ଏତେବେଳ ପର୍ଯ୍ୟନ୍ତ ରାଜା ଓ ଗୌତମ ବୃକ୍ଷାନ୍ତରାଳରେ ରହି ମାଳବିକା ଓ ବକୁଳାବଳିକାଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲେ ଓ ସେ ଦୁହିଁଙ୍କର କଥୋପକଥନ ଶୁଣୁଥିଲେ । ରାଜା ଆତ୍ମପ୍ରକାଶର ଏହାକୁ ଉପଯୁକ୍ତ ଅବସର ମନେକରି ହଠାତ୍ ଅଶୋକବୃକ୍ଷ ନିକଟକୁ ଚାଲି ଆସିଲେ । ତାଙ୍କୁ ଦେଖିଲାମାତ୍ରେ ମାଳବିକା ଓ ବକୁଳାବଳିକା ବିସ୍ମିତ ହୋଇଗଲେ ଓ ରାଜାଙ୍କର ବିଜୟ କାମନା କରି ତାଙ୍କ ପଦତଳେ ପ୍ରଣାମ କଲେ । ରାଜା ମାଳବିକାଙ୍କର ହସ୍ତ ଧାରଣ କରି ତାଙ୍କୁ ତଳୁ ଉଠାଇ ଦେଇ କହିଲେ, "ତୁମର ପାଦ ପଦ୍ମଫୁଲ ପରି କୋମଳ ସେଥିରେ ଅଶୋବୃକ୍ଷକୁ ଆଘାତ କରି ନିଶ୍ଟୟ କଷ୍ଟ ହୋଇଥିବ ।" ଲଜ୍ଜାରେ ମାଳବିକାଙ୍କର ମୁଖମଣ୍ତଳ ଆରକ୍ତ ହୋଇଗଲା । ତାଙ୍କର ତୁଣ୍ତରୁ କଥା ବାହାରିଲା ନାହିଁ । ସେ କେବଳ ତଳକୁ ମୁହଁ ପୋତି ଛିଡ଼ାହୋଇ ରହିଲେ ।

 

ଇରାବତୀ ରାଜା ଓ ମାଳବିକାଙ୍କର ଏହି ସାକ୍ଷାତ୍ ଦେଖି ଓ କଥାବାର୍ତ୍ତା ଶୁଣି ଅତ୍ୟନ୍ତ କୁପିତ ହେଲେ । ସେ ହଠାତ୍ ବାହାରିପଡ଼ି ରାଜାଙ୍କ ସମକ୍ଷରେ ଉପସ୍ଥିତ ହୋଇ କହିଲେ, "ବାସ୍ତବରେ ମୋ' ପତିଙ୍କର ହୃଦୟ ନବନୀତ ପରି କୋମଳ, ତା' ନହେଲେ ସେ ଏପରି ମହାନୁଭୂତି ଦେଖାନ୍ତେ ?" ରାଣୀଙ୍କର ଏହି ଅପ୍ରତ୍ୟାଶିତ ଆବିର୍ଭାବରେ ରାଜା ବିଚଳିତ ହୋଇପଡ଼ିଲେ । ସେ ଇରାବତୀଙ୍କର ଏହି ବିଦ୍ରୂପୋକ୍ତିର ମର୍ମ ବୁଝିପାରିଲେ । ମାଳବିକା ଓ ବକୁଳାବଳିକା କ'ଣ କରିବେ ଭାବି ପାରିଲେନାହିଁ । ଆଶଙ୍କାରେ ସେ ଦୁହିଁଙ୍କର ହୃତକମ୍ପ ଉପସ୍ଥିତ ହେଲା ।

 

ଇରାବତୀ ପୁଣି କହିଲେ, "ମହରାଜ, ତୁମର ଅଶୋକବୃକ୍ଷ ଏବେ ଫଳ ଧରିଲାଣି ?"

ଗୌତମ ତେଖିଲେ ଯେ ପିରସ୍ଥିତି ବିଷମ ହୋଇଆସୁଛି । ତେଣୁ ସେ ରାଜାଙ୍କ କାନ ପାଖରେ କହିଲେ, "ମିତ୍ର, ଏ ସବୁ ଆମର ପ୍ରତିକୂଳ ବୋଲି ମନେହେଉଛି । ଏଠାରେ ଆଉ ରହିବା ଆମ ପକ୍ଷରେ ମଙ୍ଗଳଜନକ ହେବ ନାହିଁ । ଚାଲ, ଏଠାରୁ ପଳାଇଯିବା ।" କିନ୍ତୁ ସାନରଣୀଙ୍କ ପାଖରୁ ଏପରି ପଳାଇଯିବା ରାଜାଙ୍କୁ ଅପମାନଜନକ ମନେ ହେଲା । ତେଣୁ ସେ ପୂର୍ବପରି ଛିଡ଼ାହୋଇରହିଲେ ।

 

ଇରାବତୀଙ୍କର କ୍ରୋଧ ସେତେବେଳଯାଏଁ ଶାନ୍ତ ପଡ଼ିନଥିଲା । ସେ ବକୁଳାବଳିକାକୁ ଲକ୍ଷ୍ୟ କରି କହିଲେ, "କ'ଣ, ବକୁଳା, ତୁ ତ ଗୋଟିଏ ଭଲ କାମ କରିବାକୁ ଆସିଛୁ ! ଚୁପ୍ କରି ରହିଲୁ କାହିଁକି ? ଯାଅ, ମହାରାଜାଙ୍କ ଅଭିଳାଷ ପୂରଣ କର ।"

 

ବକୁଳାବଳିକା ଭୀତ ଓ ଚକିତ ହୋଇ କହିଲା, "ମହାଦେବି ! ମୁଁ କୌଣସି ଅପରାଧ କରିନାହିଁ । ବଡ଼ରାଣୀଙ୍କ ଆଦେଶରେ ଆମେ ଦୁହେଁ ଏଠାକୁ ଆସିଥିଲୁ । ତାଙ୍କର ଆଦେଶ ପାଳନ ଛଡ଼ା ଆମର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା ।’’- ଏହା କହି ବକୁଳାବଳିକା ଇରାବତୀଙ୍କ ପାଦତଳେ ପଡ଼ିଗଲା । ମାଳବିକା ମଧ୍ୟ ପ୍ରଣାମ କରି ନିଜର ବିନୟ ପ୍ରକାଶକଲେ ।

 

ସେ ଦୁହେଁ ସେଠାରୁ ପ୍ରସ୍ଥାନ କରନ୍ତେ ଇରାବତୀ ରାଜାଙ୍କୁ ଲକ୍ଷ୍ୟକରି କହିଲେ- ହାୟ, ପୁରୁଷ ମାତ୍ରେ ଅବିଶ୍ୱାସର ପାତ୍ର । ବାସ୍ତବରେ ମୋ ପ୍ରତି ଯେ ଏପରି ବିଶ୍ୱାସଘାତକତା କରାଯାଉଅଛି, ତାହା ମୁଁ ଜାଣିପାରିନଥିଲି । ବ୍ୟାଧ ମଧୁର ଗୀତ ଗାଇ ହରିଣକୁ ଆକର୍ଷଣ କରି ତା'ର ପ୍ରାଣ ନେଇଥାଏ । ପୁରୁଷମାନଙ୍କର ପ୍ରକୃତି ଠିକ୍ ସେହି ବ୍ୟାଧର ପ୍ରକୃତି ପରି ।

 

ରାଜା ନିଜର ଦୋଷ ପାଳନ ଉଦ୍ଦେଶ୍ୟରେ କହିଲେ- ସୁନ୍ଦରୀ, ମୋର ମାଳବିକା ସଙ୍ଗେ କୌଣସି ସମ୍ପର୍କ ନାହିଁ । ତାହାଠାରେ ମୋର କି କାର୍ଯ୍ୟ ? ମୋତେ ବିଶ୍ୱାସ କର । ତୁମର ଆସିବାରେ ବିଳମ୍ବ ହେବାରୁ ମୁ କୌଣସିମତେ ଚିତ୍ତବିନୋଦନ କରୁଥିଲି ।

 

"ହିଁ, ବିଶ୍ୱାସ କରିବି ନାହିଁ କାହିଁକି ? ତୁମେ ଏପରି ଚିତ୍ତବିନୋଦନ କରୁଛ ବୋଲି ଜାଣିଥିଲେ ମୁଁ ଏଠାକୁ ଆସିନଥାନ୍ତି ।"

ଇରାବତୀ କ୍ରୁଦ୍ଧଭାବରେ ଚାଲିଯିବାକୁ ବସିବାରୁ ରାଜା ତାଙ୍କର ନିକଟବର୍ତ୍ତୀ ହୋଇ କହିଲେ- ପ୍ରିୟେ, ତୁମେ ଅଯଥା ଏପରି ଦୋଷାରୋପ କରୁଛ । ମହାରାଣୀଙ୍କ ଦାସି ସହିତ ଦୈବାତ୍ ଦେଖାହେବାରୁ ଦି' ପଦ କଥାବାର୍ତ୍ତା ହେଉଥିଲି ।

 

"ବେଶ୍, ତୁମେ କଥାବାର୍ତ୍ତା ହେଉଥାଅ । ସେଥିପାଇଁ ମୁଁ କାହିଁକି ମନରେ କଷ୍ଟ କରିବି ?"

ରାଜା ଦେଖିଲେ, ଇରାବତୀ ଭୀଷଣଭାବରେ କ୍ରୁଦ୍ଧ ହୋଇଛନ୍ତି । ତାଙ୍କୁ ଯେକୌଣସି ମତେ ସନ୍ତୁଷ୍ଟ କରିବାକୁ ଇଛାକରି ସେ ତାଙ୍କର ପାଦ ଦୁଇଟିତକୁ ଧରି ତଳେ ପଡ଼ିଗଲେ । ତଥାପି ରାଣୀ ଇରାବତୀ ଶାନ୍ତ ନହୋଇ କହିଲେ, " ମୋ ପାଦ ଧରିବାରେ କି ପ୍ରୟୋଜନ ? ଏ ତ ମାଳବିକାର ପାଦ ନୁହେଁ ? ଯାଅ, ମାଳବିକାର ପାଦ ଧରିବ ଯେ ସେ ତୁମର ମନୋବାଞ୍ଛା ପୂରଣ କରିବ ?"

ଏହିପରି କ୍ରୋଧ ପ୍ରକାଶ କରି ରାଣୀ ଇରାବତୀ ଚାଲିଗଲେ । ବିଦୂଷକ ରାଜାଙ୍କୁ କହିଲେ, ମିତ୍ର ଶୀଘ୍ର ଏଠାରୁ ଚାଲିଯିବା ଉଚିତ । ପୁଣି ଯଦି ରାଣୀ ଫେରିଆସନ୍ତି, ତେବେ କ'ଣ ହେବ କିଏ ଜାଣେ ?"

ଅଗତ୍ୟା ରାଜା ଓ ବିଦୂଷକ ବିହାର ଉଦ୍ୟାନ ତ୍ୟାଗ କରି ଚାଲିଗଲେ ।

 

llଚାରିll

ପ୍ରମୋଦ ଉଦ୍ୟାନରେ ରାଜା ଓ ମାଳବିକାଙ୍କ ଆଚରଣ ଦେଖି ରାଣୀ ଇରାବତୀ ଏତେ ଦୂର ଦୁଃଖିତା ହୋଇଥିଲେ ଯେ ନିଜର ଅଳଙ୍କାରଗୁଡ଼ିକ ବିଶ୍ରାମ କକ୍ଷରେ ଇତସ୍ତତଃ ଫିଙ୍ଗି- ଦେଇ ବିଛଣାରେ ପଡ଼ିଗଲେ । ସେ ଭାବିଲେ, ମୁଁ ଯେବେ ମୋର ପ୍ରାଣପ୍ରିୟ ପତିଙ୍କର ପ୍ରୀତିଭାଜନ ହୋଇ ନ ପାରିଲି ତେବେ ଏ ଅଳଙ୍କାରରେ କି ପ୍ରୟୋଜନ ? ମୋର ପତି ଏବେ ଜଣେ ସାମାନ୍ୟ ପରିଚାରିକା ପ୍ରତି ପ୍ରେମାସକ୍ତ- ଏଥିରେ ସନ୍ଦେହ ନାହିଁ । ମୁଁ ଯେ କାହିଁକି ତାଙ୍କର ପ୍ରେମରୁ ବଞ୍ଚିତ ହେଲି ବୁଝିପାରୁନାହିଁ । ମହାରାଜା ଯେ ଏତେ ନୀଚମନା ହୋଇପାରନ୍ତି ଓ ସାମାନ୍ୟ ପରିଚାରିକା ପ୍ରତି ଆକୃଷ୍ଟ ହୋଇପାରନ୍ତି, ଏହା ମୋର କଳ୍ପନାର ଅତୀତ ଥିଲା । ମୋଭଳି ହତଭାଗିନୀ ଆଉ କିଏ ଅଛି ?

 

ପରଦିନ ପ୍ରାତଃକାଳରେ ସେ ଧାରିଣୀ ଦେବୀଙ୍କ ନିକଟରେ ଉପସ୍ଥିତ ହେଲେ । ଧାରିଣୀ ଓ ଇରାବତୀ ପରସ୍ପରର ସପତ୍ନୀ ହୋଇଥିଲେହେଁ ସେ ବୁହିଁଙ୍କ ସଧ୍ୟରେ ପୂର୍ଣ୍ଣ ସଦଭାବ ଥିଲା । ବାସ୍ତବରେ ଧାରିଣୀ ଦେବୀ ଇରାବତୀଙ୍କୁ ନିଜର ସାନଭଉଣୀ ପରି ଆଦର କରୁଥିଲେ । ଇରାବତୀ ସ୍ୱଭାବତଃ ବସନଭୂଷଣ ପ୍ରତି ବିଶେଷ ମନୋଯୋଗ ଦେଉଥିଲେ ଏବଂ ସେ ଦିଗରେ ଧାରିଣୀଦେବୀ ତାଙ୍କୁ ଉତ୍ସାହିତ କରୁଥିଲେ । ଇରାବତୀ ଆସି ପହଞ୍ଚିଲାବେଳକୁ ଧାରିଣୀଦେବୀ ବିଛଣାରେ ପଡ଼ିରହି ଶୀତଳବାୟୁ ସେବନ କରୁଥିଲେ । ତାଙ୍କର ପାଦର ବ୍ୟଥା କମିଯାଇଥଲେହେଁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ l ଇରାବତୀଙ୍କୁ ଏପରି ବେଶରେ ଦେଖି ସେ ହଠାତ୍ ସ୍ତମ୍ଭୀଭୂତ ହୋଇଗଲେ । ସାନ ରାଣୀଙ୍କର ଏଭଳି ବେଶଭୂଷାର କୌଣସି କାରଣ ସେ ଅନୁମାନ କରିପାରିଲେ ନାହିଁ।

 

ଇରାବତୀଙ୍କୁ ପାଖରେ ବସାଇ ଧାରିଣୀଦେବୀ ଆଦରରେ ପଚାରିଲେ "ତୁମର ଅଳଙ୍କାର ସବୁ କ'ଣ ହେଲା ?" ଇରାବତି ଏ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ପ୍ରତିପ୍ରଶ୍ନ କଲେ - "ତୁମର ପାଦର ବେଦନା ଦୂର ହେଲାଣି ?”

 

ଧାରିଣୀ- ଆଗେ ମୋ ପ୍ରଶ୍ନର ଉତ୍ତର ଦିଅ । ତୁମର ଅଳଙ୍କାର କାହିଁ ? ନାରୀ ପକ୍ଷରେ ଅଳଙ୍କାର ହେଉଛି ତା'ର ଭୂଷଣ । ଅଳଙ୍କାର ବିନା ନାରୀ କି ତା'ର ପ୍ରିୟତମର ମନୋରଞ୍ଜନ କରିପାରିବ ?

ଇରାବତୀ ଆଉ ନୀରବ ରହିପାରିଲେ ନାହିଁ । ସେ କିପରି ରାଜାଙ୍କ ଦ୍ୱାରା ଉପେକ୍ଷିତା ହୋଇଅଛନି ଓ ରାଜା ମାଳବିକା ପ୍ରତି ଅନୁରକ୍ତ ହୋଇଅଛନ୍ତି ତାହା କହିଗଲେ । ପ୍ରମୋଦ ଉଦ୍ୟାନରେ ଅଶୋକ ବୃକ୍ଷ ନିକଟରେ ରାଜା ଓ ମାଳବିକାଙ୍କ ମଧ୍ୟରେ ଯେହା ସବୁ ଘଟିଥିଲା, ସେ ସବୁ ବର୍ଣ୍ଣନା କରିବାକୁ ଇରାବତୀ ଭୁଲିଲେ ନାହିଁ ।

 

ଏ ସବୁ ଶୁଣି ରାଣୀ ଧାରିଣୀ ମଧ୍ୟ ଗଭୀର ଦୁଃଖ ଅନୁଭବ କଲେ । ଇରାବତୀଙ୍କ ପ୍ରତି ତାଙ୍କର ସହାନୁଭୂତି ଜନ୍ମିଲା । ଅନ୍ତଃପୁର ରକ୍ଷିଣୀମାନଙ୍କୁ ଡକାଇ ସେ ତତକ୍ଷଣାତ୍ ଆଦେଶ ଦେଲେ- " ଯାଅ, ମାଳବିକା ଓ ବକୁଳାବଳିକାକୁ ଶୃଙ୍ଖଳାବନ୍ଧ କରି ରାଜଭଣ୍ତାର ସନ୍ନିହିତ ଭୂଗର୍ଭସ୍ଥିତ ଗୃହ ମଧ୍ୟରେ ଆବଦ୍ଧ କରି ରଖ ।’’ ମାଧବିକା ନାମଧେୟା ଜଣେ ରକ୍ଷିଣୀକୁ କହିଲେ, ‘‘ବନ୍ଦିଗୃହର ଚାବି ତୁମେ ରଖିବ । ସବୁବେଳେ ଦ୍ୱାରଦେଶରେ ପହରାର ବ୍ୟବସ୍ଥା କରିବ । ମୋର ସର୍ପାଙ୍ଗୁରୀୟର ମୁଦ୍ରାୟୁକ୍ତ ଆଦେଶ ପତ୍ର ନ ପାଇଲେ ସେ ଦୁହିଁଙ୍କୁ କଦାପି ବାହାରକୁ ଆସିବାକୁ ଦେବନାହିଁ ।"

 

ରାଜଅନ୍ତଃପୁରରେ ବଡ଼ରାଣୀଙ୍କର ଆଦେଶ ଅଲଘଂନୀୟ । ସଙ୍ଗେ ସଙ୍ଗେ ମାଳବିକା ଓ ବକୁଳାବଳିକାଙ୍କୁ ଶୃଙ୍ଖଳାବଦ୍ଧ କରି ଭୂଗର୍ଭସ୍ଥ ଗୃହରେ ରଖାଗଲା । ସେ ଗୃହରେ ଭୀଷଣ ଅନ୍ଧକାର; ସେଥିରେ ସୂର୍ଯ୍ୟକିରଣ ସୁଦ୍ଧା ପ୍ରବେଶ କରିବାର ପଥ ନଥିଲା ।

 

ଏଣେ ରାଜା ଚିନ୍ତା କରୁଥିଲେ- ମାଳବିକାଙ୍କର ଚିତ୍ର ଦେଖି ତାଙ୍କର ନାମ ଶୁଣିଲା ବେଳୁ ମୋ ହୃଦୟରେ ପ୍ରେମର ବୀଜ ରୋପିତ ହୋଇଥିଲା । ସଂଗୀତଶାଳାରେ ମାଳବିକାକୁ ସଶରୀରରେ ଦେଖିବାରୁ ସେହି ପ୍ରେମବୀଜରୁ ଅନୁରାଗରୂପକ ଅଙ୍କୁର ଓ କୋମଳପତ୍ର ଜନ୍ମିଲା । ଯେତେବେଳେ ପ୍ରମୋଦ ଉଦ୍ୟାନରେ ମୁଁ ତା'ର କର ଧରି ଉଠାଇଲି ସେତେବେଳେ ମୋର ଶରୀରରେ ରୋମାଞ୍ଚରୂପକ ପୁଷ୍ପ ବିକସିତ ହେଲା । ଏବେ ସେହି ପ୍ରେମବୃକ୍ଷର ଫଳ ଖାଇବାକୁ ବ୍ୟାକୁଳ ଭାବରେ ଚାହିଁ ରହିଛି ।

 

ରାଜାଙ୍କ ପାଖରେ ପ୍ରତିହାରୀ ରହିଥିଲା । ରାଜା ମାଳବିକା ବିଷୟକ ଚିନ୍ତାରେ ନିମଗ୍ନ ରହି ଗୌତମଙ୍କୁ ତାଙ୍କର ସମ୍ବାଦ ପଚାରିବା ଉଦ୍ଦେଶ୍ୟରେ ଡାକିଲେ- ସଖେ ଗୌତମ !

 

ପ୍ରତିହାରୀ ଉତ୍ତରକଲା, "ମହାରାଜ, ମୁଁ ଏଠାରେ ଅଛି । ଗୌତମ ନାହାନ୍ତି ।"

 

ଏତେବେଳକୁ ରାଜାଙ୍କର ସ୍ମରଣ ହେଲା ଯେ ମାଳବିକାଙ୍କର ସମ୍ବାଦ ଆଣିବାପାଇଁ ସେ ନିଜେ ଗୌତମଙ୍କୁ ପଠାଇଅଛନ୍ତି । ଅଳ୍ପ ସମୟ ପରେ ବିଦୂଷକ ଉପସ୍ଥିତ ହୋଇ ରାଜାଙ୍କର ଶୁଭ କାମନା କଲେ । ତହୁଁ ରାଜା ପ୍ରତିହାରୀକୁ କହିଲେ, "ଜୟସେନା, ତୁ ଯାଇ ମହାରାଣୀ ଧାରିଣୀଙ୍କର ପାଦର ଅବସ୍ଥା କିପରି ଅଛି ବୁଝିଆସ । ସେ କିପରି ଚିତ୍ତବିନୋଦନ କରୁଅଛନ୍ତି ତାହା ମଧ୍ୟ ବୁଝିଆସିବୁ ।"

 

ପ୍ରତିହାରୀ ଚାଲିଯିବା ପରେ ଗୌତମକୁ ପଚାରିଲେ, ‘‘ସଖେ, ଏବେ ମାଳବିକାଙ୍କର ସମଚାର କୁହ ।"

ଗୌତମ ଉତ୍ତର କଲେ, "ବନ୍ଧୁ, ମାଳବିକାଙ୍କର ସମ୍ବାଦ କ'ଣ କହିବି ? ବିରାଡ଼ି କୋଇଲିକୁ ମାଡ଼ିବସିଲେ କୋଇଲିର ଅବସ୍ଥା ଯାହାହୁଏ, ଏବେ ମାଳବିକାଙ୍କର ଅବସ୍ଥା ଠିକ ସେଇଆ ।"

 

ରାଜାଙ୍କ ପ୍ରଶ୍ନର ଉତ୍ତରରେ ମାଳବିକା ଭୂଗର୍ଭସ୍ଥ କୋଠରିରେ ବନ୍ଦିନୀଥିବା ଘଟଣା ଗୌତମ ବିଶଦଭାବରେ ବର୍ଣ୍ଣନା କରିଗଲେ । ରାଣୀ ଧାରିଣୀ କାହିଁକି ମାଳବିକାଙ୍କ ପ୍ରତି ଏପରି ଦଣ୍ତବିଧାନ କଲେ ବୋଲି ପଚାରିବାରୁ ଗୌତମ କହିଲେ, "କାଲି ଇରାବତୀ ଦେବୀ ବଡ଼ରାଣୀଙ୍କ ପାଦର ଅବସ୍ଥା ପଚାରିବାକୁ ଯାଇଥିଲେ । କଥା ପ୍ରସଙ୍ଗରେ ପ୍ରମୋଦ ଉଦ୍ୟାନର ସମସ୍ତ ଘଟଣା ଶୁଣିପାରି ଧାରିଣୀଦେବୀ ମାଲବିକା ଓ ବକୁଳାବଳିକାଙ୍କ ପ୍ରତି ଏପରି କଠୋର ଦଣ୍ତବିଧାନ କରିଅଛନ୍ତି । ଏବେ ମାଲବିକା ବନ୍ଦିଶାଳାକୁ ଜଗିରହିଛି । ତାକୁ ଆଦେଶ ଅଛି ଯେ ମହାରାଣୀଙ୍କ ସର୍ପାଙ୍ଗୁରୀୟର ମୁଦ୍ରାଙ୍କିତ ଆଦେଶ ପତ୍ର ନ ପାଇଲେ ସେ ସେମାନଙ୍କୁ ମୁକ୍ତି ଦେବେ ନାହିଁ।"

 

ରାଜା ଏହି ସମ୍ବାଦରେ ନିତାନ୍ତ ବିଚଳିତ ହୋଇ ପଚାରିଲେ, "ସଖେ, ଏହାର ପ୍ରତିକାର ଉପାୟ କ'ଣ ନାହିଁ ?"

ତହୁଁ ଗୌତମ ଚାରିଆଡ଼କୁ ଚାହିଁ କେହି ନଥିବାର ଦେଖି ସୁଦ୍ଧା ରାଜାଙ୍କ କାନ ପାଖରେ ସେହି ଉପାୟଟି କହିଲେ ।

 

ଏହି ସମୟରେ ପ୍ରତିହାରୀ ଜୟସେନା ଫେରି ଆସି କହିଲା, "ମହାରାଜା, ଧାରିଣୀଦେବୀ ଶୋଇରହି ପରିବ୍ରାଜିକାଙ୍କଠାରୁ ଗଳ୍ପ ଶୁଣୁଅଛନ୍ତି । ତାଙ୍କ ପାଦରେ ରକ୍ତଚନ୍ଦନ ବୋଳା-ହୋଇଅଛି, କେତେ ଜଣ ଦାସୀ ତାଙ୍କ ପାଦକୁ ମଞ୍ଚାଳୁଅଚଛନ୍ତି ।"

 

ଏହାହିଁ ଧାରିଣୀଦେବୀଙ୍କ ସହିତ ସାକ୍ଷାତର ଉପଯୁକ୍ତ ଅବସର ମନେକରି ରାଜା ଜୟସେନା ସହିତ ରାଣୀଙ୍କ ପ୍ରକୋଷ୍ଠକୁ ଯିବାକୁ ବାହାରିଲେ । ଯିବା ପୂର୍ବରୁ ଜୟସେନାକୁ ଯଥୋଚିତ ପରାମର୍ଶ ଦେବାପାଇଁ ରାଜା ଗୌତମଙ୍କୁ ସୂଚନା ଦେଇଗଲେ ।

 

ରାଣୀ ପରିବ୍ରାଜିକାଙ୍କ ଗଳ୍ପ ଶୁଣୁଥିବା ଅବସ୍ଥାରେ ରାଜା ଉପସ୍ଥିତ ହେବାରୁ ସେ ସମ୍ମାନ ପ୍ରଦର୍ଶନ କରିବାକୁ ଉଠିବାର ଚେଷ୍ଟା କରୁଥିଲେ; କିନ୍ତୁ ପୀଡ଼ିତ ଥିବା ସମୟରେ ଶିଷ୍ଟାଚାର ପ୍ରଦର୍ଶନ ନିମନ୍ତେ ଦେହକୁ କଷ୍ଟ ଦେବା ଅନୁଚିତ ବୋଲି କହି ରାଜା ତାଙ୍କୁ ଉଠିବାକୁ ବାରଣ କଲେ । ତହୁଁ ରାଣୀ ଓ ପରିବ୍ରାଜିକା ରାଜାଙ୍କର ବିଜୟ କାମନା କଲେ ଓ ରାଜା ମଧ୍ୟ ପରିବ୍ରାଜିକାଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ କଲେ । ରାଜା ପଚାରିଲେ, "ତୁମ ପାଦର ବ୍ୟଥା କମିଗଲାଣି ତ ?"

 

ରାଣୀ ଉତ୍ତର କଲେ, "ହଁ, ସାମାନ୍ୟ କମିଛି ।"

ଏହି କଥୋପକଥନ ସମୟରେ ହଠାତ୍ ଗୌତମ ଚିତ୍କାର କରି ସେଠାରେ ଉପସ୍ଥିତ ହେଲେ । ସେ କହୁଥିଲେ, "ମୋତେ ରକ୍ଷାକର, ରକ୍ଷାକର । ଗୋଟିଏ କାଳସର୍ପ ମୋ ହାତକୁ ଦଂଶିଦେଲା । ଓଃ, ମୋର ପ୍ରାଣ ବାହାରିଯିବ ।"

 

ରାଜା କହିଲେ, "ମିତ୍ର, ତୁମେ କୁଆଡ଼େ ବୁଲୁଥିଲ ? ସାପ କିପରି କାମୁଡ଼ିଲା ?"

ବହୁ କଷ୍ଟରେ ଗୌତମ କହିଲେ, "ଉଃ, କି ଯନ୍ତ୍ରଣା ! ମହାରାଣୀଙ୍କୁ ଦେଖା କରିବି ବୋଲି ତାଙ୍କୁ ଭେଟି ଦେବାପାଇଁ ଫୁଲ କେତୋଟି ଆଣିବାକୁ ପ୍ରମୋଦବନକୁ ଯାଇଥିଲି । ଅଶୋକ ବୃକ୍ଷରୁ ଫୁଲ ଆଣିବାକୁ ହାତ ବଢ଼ାଉଥିଲି, ଏତିକିବେଳେ ଗଛର କୋରଡ଼ରୁ ଗୋଟିଏ ସାପ ମୋ ହାତରେ ଚୋଟ ମାରିଲା ।"

 

କୌଶିକୀ କହିଲେ, "ତାହାହେଲେ ପ୍ରଥମେ ସାପ କାମୁଡ଼ିଥିବା ଅଙ୍ଗକୁ କାଟିଦେବା ଦରକାର । ଶାସ୍ତ୍ରରେ ଅଛି- ସାପ କାମୁଡ଼ିଥିବା ଅଙ୍ଗକୁ କାଟିଦେବ କିମ୍ବା ପୋଡ଼ିଦେବ କିମ୍ବା ସେ ସ୍ଥାନରୁ ରକ୍ତ ବାହାର କରିଦେବ। ଏହାଦ୍ୱାରା ସଦ୍ୟ ସର୍ପଦଷ୍ଟ ଲୋକର ପ୍ରାଣ ରକ୍ଷା ହୋଇପାରେ ।"

 

ରାଣୀ ଦୁଃଖ ପ୍ରକାଶ କରି କହିଲେ, ‘‘ଦୁଃଖର କଥା, ମୁଁ ଜଣେ ବ୍ରାହ୍ମଣଙ୍କର ମୃତ୍ୟୁର କାରଣ ହେଉଛି ।"

ରାଜା ଆଦେଶ ଦେଲେ- "ବର୍ତ୍ତମାନ ବିଷବୈଦ୍ୟଙ୍କର ଚିକିତ୍ସା ଦରକାର । ଜୟ ସେନା ତୁ ଶୀଘ୍ର ଯାଇ ଆମର ବିଷବୈଦ୍ୟ ଧ୍ରୁବସିଦ୍ଧିଙ୍କୁ ଡାକିଆଣ ।’’ ଜୟସେନା ଚାଲିଗଲା ।

 

ରାଜା ଗୌତମଙ୍କୁ ଆଶ୍ୱାସନା ଦେବାକୁ ଲାଗିଲେ । କିନ୍ତୁ ଗୌତମ ଯନ୍ତ୍ରଣାରେ ଛଟପଟ ହୋଲାପରି ଚିତ୍କାର କଲେ, ଓଃ, ମୋର ଦେହ ଝିମିଝିମି ହୋଇଯାଉଛି । ମୁଁ ପଡ଼ିଯିବି । ମିତ୍ର, ମୁଁ ପିଲାଦିନୁଁ ତୁମର ବନ୍ଧୁ ଥିଲି । ସେ କଥା ମନେପକାଇ ମୋର ବୃଦ୍ଧା ମାତାର ଭରଣ-ପୋଷଣର ବ୍ୟବସ୍ଥା କରିବ। ମୁଁ ବିଦାୟ ନେଉଛି।"

 

ରାଣୀଙ୍କ ଆଦେଶରେ କେତେ ଜଣ ଗୌତମଙ୍କୁ ଧରି ବସାଇ ଦେଲେ । ରାଜା କହିଲେ, ବନ୍ଧୁ ଅଧୀର ହେଉଛ କାହିଁକି ? ତୁମେ ଧ୍ରୁବସିଦ୍ଧିଙ୍କର କୃତିତ୍ୱ ଜାଣି ନାହଁ । ସେ ଅବିଳମ୍ବେ ତୁମକୁ ଭଲ କରଦେବେ ।’’ ଏହି ସମୟରେ ଜୟସେନା ଆସି ଜଣାଇଲା, ଧ୍ରୁବସିଦ୍ଧି କହିଲେ ଯେ ଗୌତମଙ୍କ ତାଙ୍କ ଘରକୁ ନେଲେ ସେ ସେହିଠାରେ ପ୍ରତିକାର କରିବେ ।"

 

ଏଣେ ଗୌତମ ରାଣୀଙ୍କୁ ଲକ୍ଷ୍ୟକରି କହିଲେ, ‘‘ମୋର ପ୍ରାଣ ରହିବ କି ନାହିଁ ସ୍ଥିର ନାହିଁ । ଯଦି ଆପଣମାନଙ୍କ ସେବାରେ କିଛି ତ୍ରୁଟି କରିଥାଏଁ, ତେବେ ଉଦାର ମନରେ କ୍ଷମା ଦେବେ ।’’

 

ରାଜା ଓ ରାଣୀଙ୍କ ଆଦେଶରେ କେତେଜଣ ଭୃତ୍ୟ ଗୌତମଙ୍କୁ ଧ୍ରୁବସିଦ୍ଧିଙ୍କ ଘରକୁ ଟେକିନେଲେ । ଜୟସେନା ମଧ୍ୟ ସେମାନଙ୍କ ସାଙ୍ଗରେ ଗଲା ।

 

କିଛି ସମୟପରେ ଜୟସେନା ପୁଣି ଆସି ଜଣାଇଲା, ‘‘ଧ୍ରୁବସିଦ୍ଧି କହିଲେ କି ଜଳକୁମ୍ଭଦ୍ୱାରା ବିଷ ଶାନ୍ତି ନିମନ୍ତେ ସର୍ପାଙ୍କିତ କୌଣସି ଦ୍ରବ୍ୟ ପଠାଇ ଦେବାକୁ ହେବ । ସେପରି କିଛି ଖୋଜି ଦିଅନ୍ତୁ ।"

 

ଏହା ଶୁଣିଲା କ୍ଷଣି ରାଣୀ କହିଲେ, ଅନ୍ୟତ୍ର ଖୋଜିବା ଦରକାର କ'ଣ ? ଏଇ ମୋ ହାତରେ ସର୍ପାଙ୍କିତ ମୁଦି ଅଛି । ଏହାକୁ ନେଇଯାଅ । କାର୍ଯ୍ୟ ଶେଷହେଲେ ମୋତେ ଫେରେଇ-ଦେଇଯିବୁ ।"

 

ଜୟସେନା ମୁଦିଟି ନେଇ ଚାଲିଗଲା । ରାଜା, ରାଣୀ ଓ ପରିବ୍ରାଜିକା ସମସ୍ତେ ଗୌତମଙ୍କର ଆଶୁ ଆରୋଗ୍ୟ ଆଶା କରି ଆପେକ୍ଷା କରି ରହିଲେ ।

 

କିଛି ସମୟ ପରେ ଜୟସେନା ସମ୍ବାଦ ଦେଲା, ‘‘ଗୌତମଙ୍କର ବିଷଜ୍ୱାଳା କମିଆସୁଛି । ଆଉ ଅଳ୍ପ ସମୟ ପରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବେ । ଆଉ ମନ୍ତ୍ରୀ ବାହତକ କହିଛନ୍ତି ଯେ, କେତେକ ଗୁରୁତର ରାଜକାର୍ଯ୍ୟ ସମ୍ବନ୍ଧରେ ସେ ମହାରାଜାଙ୍କର ପରାମର୍ଶ ଚାହାନ୍ତି ।’

 

ରାଜା ଜୟସେନା ସହିତ ରାଣୀଙ୍କ ନିକଟରୁ ପ୍ରସ୍ଥାନ କଲେ । କିଛି ଦୂର ଯିବା ପରେ ରାଜା ତାକୁ ପଚାରିଲେ, "ଗୌତମଙ୍କର କାର୍ଯ୍ୟସିଦ୍ଧି ହେଲାଣି ତ ?" ଜୟସେନାଠାରୁ ସନ୍ତୋଷଜନକ ଉତ୍ତର ପାଇ ରାଜା ତାହା ସହିତ ଗୁପ୍ତମାର୍ଗରେ ପ୍ରମୋଦବନକୁ ଗଲେ ।

 

କିପରି ଗୌତମଙ୍କର କାର୍ଯ୍ୟସିଦ୍ଧି ହୋଇଥିଲା ତାହା ପ୍ରକାଶ କରିବା ଉଚିତ୍ । ସର୍ପାଙ୍ଗୁରୀୟଟି ଧ୍ରୁବସିଦ୍ଧିଙ୍କର ହସ୍ତଗତ ହେବାମାତ୍ରେ ସେ ଗୃହମଧ୍ୟରୁ ଗୌତମଙ୍କ ଛଡ଼ା ଅନ୍ୟମାନଙ୍କୁ ସବୁ ବାହାର କରିଦେଇ ଭିତରୁ କବାଟ ବନ୍ଦକରିଦେଲେ ଏବଂ ମାଳାବିକା ଓ ବକୁଳାବଳିକାଙ୍କୁ ବନ୍ଦିଶାଳାରୁ ମୁକ୍ତ କରିଦେବାପାଇଁ ଏକ ଆଦେଶପତ୍ର ଲେଖି ଜଉମୁଦ ଦେଲେ । ଗୌତମ ଏହି ଆଦେଶପତ୍ର ଓ ରାଣୀଙ୍କ ସର୍ପାଙ୍ଗୁରୀୟ ଘେନି ବନ୍ଦିଶାଳାକୁ ଚାଲିଲେ । ଗୌତମ ଯେ ହାତର ଦୁଇ ଜାଗାରେ ଟିକିଏ ଟିକିଏ କ୍ଷତ କରି ସାପ କାମୁଡ଼ିଥିବାର ଛଳନା କରୁଥିଲେ ଏକଥା କହିବା ଅନାବଶ୍ୟକ । ରାଣୀଙ୍କର ସର୍ପାଙ୍ଗୁରୀୟକୁ ହସ୍ତଗତ କରିବାପାଇଁ ସେ ଏଭଳି ଅଭିନୟ କରିଥିଲେ । ଅବଶ୍ୟ ଜୟସେନା ଓ ଧ୍ରୁବସିଦ୍ଧି ଏହି ବ୍ୟାପାରରେ ତାଙ୍କର ସହାୟ ଥିଲେ ।

 

ଗୌତମ ଗୁପ୍ତମାର୍ଗରେ ବନ୍ଦିଶାଳାକୁ ଗଲାବେଳେ ଯାହାକୁ ଦେଖିଲେ ତାକୁ କହିଲେ ଯେ- ଧ୍ରୁବସିଦ୍ଧିଙ୍କ ଚିକିତ୍ସାରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଅଛନ୍ତି ।

 

ରାଜଭଣ୍ତାର ନିକଟରେ ଏହି ଭୂଗର୍ଭସ୍ଥ ବନ୍ଦିଶାଳା ଅବସ୍ଥିତ ଥିଲା । ଦ୍ୱାରଦେଶରେ ଦୁଇ ଜଣ ପ୍ରତିହାରୀ ଜଗିରହିଥିଲେ । ଗୌତମ ଦ୍ୱାରଦେଶରେ ପହଞ୍ଚି ପ୍ରତିହାରୀମାନଙ୍କୁ ଆଦେଶପତ୍ର ଦେଖାଇ କହିଲେ, ‘‘ମାଳବିକା ଓ ବକୁଳାବଳିକାଙ୍କୁ ମୁକ୍ତିଦେଇ ମୋ ହସ୍ତରେ ଅର୍ପଣ କର ।"

 

ପ୍ରତିହାରୀ ଦୁହେଁ ରାଣୀଙ୍କର ମୁଦ୍ରାଙ୍କିତ ଆଦେଶପତ୍ର ପାଠକରି ବନ୍ଦିନୀ ଦ୍ୱୟଙ୍କୁ ମୁକ୍ତ କରିଦେବାକୁ ସ୍ଥିର କଲେ । କିନ୍ତୁ ସେମାନେ ଜାଣିଥିଲେ ଯେ ଗୌତମ ବଡ଼ କୌତୁକପ୍ରିୟ । ବିବିଧ ହାସ ପରିହାସରେ ସେ ଅଦ୍ୱିତୀୟ । ତେଣୁ ତାଙ୍କଠାରୁ କିଛି ପରିହାସପୂର୍ଣ୍ଣ କୌତୁକ କଥା ଶୁଣିବାକୁ ସ୍ୱତଃ ସେମାନଙ୍କର ଇଛାହେଲା । ପ୍ରଧାନ ପ୍ରତିହାରୀ ମାଧବିକା ଗମ୍ଭୀର ଭାବରେ ଗୌତମଙ୍କର ସମ୍ମୁଖୀନ ହୋଇ କହିଲା, " ଦୁଃଖର କଥା, ମୁଁ ବନ୍ଦିନୀ ଦୁହିଁଙ୍କୁ ମୁକ୍ତି ଦେବାକୁ ଅକ୍ଷମ ।"

 

ଗୌତମ ବିଚଳିତ ହୋଇ କହିଲେ, "କାହିଁକି ? ଧାରିଣୀଦେବୀଙ୍କ ଆଦେଶପତ୍ର ଦେଖୁଛ, ଛାଡ଼ି ନ ଦେବ କାହିଁକି ? ଏହି ଆଦେଶ ପତ୍ରରେ ତାଙ୍କର ମୁଦ୍ରିକାର ମୋହର ରହିଛି ତାଙ୍କର ଆଦେଶ ଅମାନ୍ୟ କରିବାକୁ ତୁମେ କିପରି ଦୁଃସାହସ କରୁଛ ?"

ମାଧବିକା କହିଲା, "ଏଇଟି ମହାରାଣୀଙ୍କର ଆଦେଶପତ୍ର ସତ୍ୟ; କିନ୍ତୁ ଆମର ଗୋଟିଏ ବିଷୟରେ ସନ୍ଦେହ । ମହାରାଣୀଙ୍କ ନିକଟରେ ଏତେ ଦାସୀ ଥାଉ ଥାଉ ସେ ଆପଣଙ୍କ ଉପରେ ଏ କାର୍ଯ୍ୟର ଭାର କାହିଁକି ନ୍ୟସ୍ତ କଲେ ?"

 

ଗୌତମ ବଡ଼ ଅସୁବିଧାରେ ପଡ଼ିଲେ । ହଠାତ୍ ତାଙ୍କୁ ଗୋଟିଏ ବୁଦ୍ଧି ଦେଖାଗଲା । ସେ କହିଲେ- "ଅବଶ୍ୟ ସେଥିର କାରଣ ଅଛି । କିନ୍ତୁ ରାଜଅନ୍ତଃପୁରର ଗୋପନ ବିଷୟ ତୁମ ଭଳି ସାଧାରଣ ପ୍ରତିହାରୀ ନିକଟରେ ପ୍ରକାଶ କରିବି କିପରି ?"

 

ସେହି ଗୋପନ ବିଷୟଟି ଜାଣିବା ପାଇଁ ମାଧବିକା ବିଶେଷ ଆଗ୍ରହ ପ୍ରକାଶ କରିବାରୁ ଗୌତମ କହିଲେ- "ଗତକାଲି ଜଣେ ପ୍ରସିଦ୍ଧ ଜ୍ୟୋତିଷୀ ରାଜପ୍ରାସାଦକୁ ଆସିଥିଲେ । ଧରିଣୀଦେବୀଙ୍କ ହସ୍ତ ପରୀକ୍ଷାକରି କହିଛନ୍ତି ଯେ, ଲକ୍ଷ୍ମୀଦେବୀ ରାଜାଙ୍କ ଉପରେ ଅସନ୍ତୁଷ୍ଟ ହୋଇଅଛନ୍ତି । ଲକ୍ଷ୍ମୀଦେବୀଙ୍କର ସନ୍ତୋଷବିଧାନ ନିମନ୍ତେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବା ନିମନ୍ତେ ଆଦେଶ ଦିଆଯାଇଛି । ଏହା ନ କଲେ ରାଜାଙ୍କର ଘୋର ଅମଙ୍ଗଳ ହେବ ।"

 

ପ୍ରତିହାରୀଦୁହେଁ ଆଉ କିଛି ନ କହି ମାଳବିକା ଓ ବକୁଳାବଳିକାଙ୍କୁ ଗୌତମଙ୍କ ହସ୍ତରେ ଅର୍ପଣ କଲେ । ବନ୍ଦିଶାଳାରୁ କିଛି ଦୂର ଆସିବା ପରେ ଗୌତମ ବକୁଳାବଳିକାକୁ କହିଲେ, ‘‘ତୁ ମାଳବିକାକୁ ନେଇ ପ୍ରମୋଦଉଦ୍ୟାନରେ ଥିବା ସମୁଦ୍ରଗୃହରେ ରଖିବୁ । ମୁଁ ରାଜାଙ୍କ ସହ ସାକ୍ଷାତ କରି ସେଠାକୁ ଫେରିବା ପର୍ଯ୍ୟନ୍ତ ତୁମେ ଦୁହେଁ ସେହିଠାରେ ରହିଥିବ ।"

 

ଗୌତମଙ୍କଠାରୁ ମାଳବିକାଙ୍କର ମୁକ୍ତି ସମ୍ବାଦ ପାଇ ରାଜା ଅତ୍ୟନ୍ତ ଆନନ୍ଦିତ ହେଲେ ଓ ତାଙ୍କୁ ଭେଟିବା ପାଇଁ ପ୍ରମୋଦଉଦ୍ୟାନ ଆଡ଼କୁ ଅଗ୍ରସର ହେଲେ ।

 

ପ୍ରମୋଦଉଦ୍ୟାନ ମଧ୍ୟରେ ଅବସ୍ଥିତ ସମୁଦ୍ରଗୃହଟି ଗୋଟିଏ ରମଣୀୟ ସ୍ଥାନ । ଏହା ଅନେକଗୁଡ଼ିଏ ଲତାକୁଞ୍ଜଦ୍ୱାରା ପରିବେଷ୍ଟିତ ଥିଲା । ରାଜାଙ୍କ ହୃଦୟରେ ମାଳବିକାଙ୍କର ତାଙ୍କ ପ୍ରତି ମନୋଭାବ ଜାଣିବା ପାଇଁ ପ୍ରବଳ ଆଗ୍ରହ ଥିଲା । ତେଣୁ ସେ ମାଳବିକା ଓ ବକୁଳାବଳିକାଙ୍କର କଥୋପକଥନ ଶୁଣିବାକୁ ଓ ସେ ଦୁହିଁଙ୍କର କାର୍ଯ୍ୟକଳାପ ଦେଖିବାପାଇଁ ଦ୍ୱାରରନ୍ଧ୍ର ବାଟେ ଚାହିଁଲେ-। ସେତେବେଳକୁ ସେ ଦୁହିଁ ଭିତ୍ତି ଉପରେ ଥିବା ଚିତ୍ରଗୁଡ଼ିକୁ ଦେଖୁଥିଲେ । ଚିତ୍ରଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ ମୂଲ୍ୟବାନ । ସେଥିମଧ୍ୟରୁ ଗୋଟିକରେ ରାଜା ଅଗ୍ନିମିତ୍ର ଓ ରାଣୀ ଇରାବତୀଙ୍କର ବିବାହକାଳୀନ ଦୃଶ୍ୟ ଚିତ୍ରିତ ହୋଇଥିଲା । ଏହି ଚିତ୍ରଟି ବିଶେଷଭାବରେ ମାଳବିକାଙ୍କର ଦୃଶ୍ୟ ଚିତ୍ରିତ ହୋଇଥିଲା । ଏହି ଚିତ୍ରଟି ବିଶେଷଭାବରେ ମାଳବିକାଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା । ସେ ଏହି ଚିତ୍ର ସମକ୍ଷରେ ଛିଡ଼ାହୋଇ ନିର୍ନିମେଷ ଚକ୍ଷୁରେ ଅଗ୍ନିମିତ୍ରଙ୍କୁ ନିରୀକ୍ଷଣ କରୁଥିଲେ । ସେ ବକୁଳାବଳିକାକୁ କହିଲେ- ‘‘ସଖି, ମହାରାଜାଙ୍କ ସହିତ ମୋର ସାକ୍ଷାତ୍ ମୋତେ ଅଳ୍ପକାଳ ସ୍ଥାୟୀ ମନେହେଲା-। ସେଥିରେ ମୋର ମନ ତୃପ୍ତ ହୋଇନଥିଲା । ଆଜି ମଧ୍ୟ ତାଙ୍କୁ ଏହି ଚିତ୍ରରେ ଦେଖି ମୋର ତୃଷା ମେଣ୍ଟୁ ନାହିଁ-। ଯେତିକି ଦେଖୁଛି, ସେତିକି ଅଧିକ ଦେଖିବାପାଇଁ ଲାଳସା ହେଉଅଛି"

 

ଏହି କଥା ଶୁଣି ଗୌତମ ରାଜାଙ୍କୁ କହିଲେ, "ବନ୍ଧୁ ଶୁଣିଲ ତ ? ତୁମେ ଯେପରି ମାଳବିକାକୁ ପାଇବାକୁ ଇଚ୍ଛୁକ, ତାହା ପ୍ରତି ଯେପରି ଆସକ୍ତ. ସେ ସେହିପରି ତୁମ୍ଭପ୍ରତି ଅନୁରକ୍ତା, ଏଥିରେ ସନ୍ଦେହ ନାହିଁ ।"

 

ରାଜା ବୟସ୍ୟଙ୍କୁ ନୀରବ ରହିବାକୁ ସଙ୍କେତ ଦେଇ ପୁଣି ରନ୍ଧ୍ର ପଥରେ ଶୁଣିବାକୁ ଲାଗିଲେ । ସେତେବେଳକୁ ମାଳବିକା କହୁଥିଲେ, ‘‘ସଖି, ଚିତ୍ରକୁ ଦେଖିଲ । ରାଜା ଯେଉଁ ସୁନ୍ଦରୀ ମହିଳାଙ୍କ ଆଡ଼କୁ ଏତେ ନିବିଷ୍ଟଭାବରେ ଚାହିଁ ରହିଛନ୍ତି. ସେ କିଏ ? " ବକୁଳାବଳିକା ଉତ୍ତର ଦେଲା, ‘‘ସେ ହେଉଛନ୍ତି ଆମ ସାନରାଣୀ ଇରାବତୀ । ଦେଖ, ରାଜା ତାଙ୍କୁ କେତେ ଭଲପାଆନ୍ତି?’’ ଏହା ଶୁଣିଲାକ୍ଷଣି ମାଳବିକା ଚିତ୍ରଆଡ଼ୁ ମୁହଁ ବୁଲାଇଆଣି କହିଲେ, ‘‘ତାହାହେଲେ ରାଜା ମୋତେ କାହିଁକି ଚାହିଁବେ ?’’ ଏହା କହି ସେ ଅନ୍ୟ ଏକ ଚିତ୍ରଆଡ଼କୁ ଦୃଷ୍ଟିପକାଇଲେ ।

 

ମାଳବିକାଙ୍କ ମନରେ ଦୁଃଖ ଦେବା ବକୁଳାବଳିକାର ଉଦ୍ଦେଶ୍ୟ ନଥିଲା, କେବଳ ପରିହାସ ଛଳରେ ସେ ସେପରି କହିଥିଲା । କିନ୍ତୁ ତାଙ୍କ ପ୍ରତି ରାଜାଙ୍କର ପ୍ରେମ ନାହିଁ ବୁଝି ମାଳବିକା ଅଭିମାନ କରିଥିବାର ଦେଖି ସେ ପୁଣି କହିଲା, ‘‘ସଖି, ତୁମେ ଏପରି ରାଗୁଛ କାହିଁକି ? ତୁମର ଅଧର କମ୍ପିଉଠୁଛି କାହିଁକି ?" ମାଳବିକା କହିଲେ- “ମୁଁ ରାଗୁଛି ବୋଲି ଯଦି ମନେକରୁଛ, ତେବେ ମୋର ରାଗ ଶାନ୍ତି କରିବା ଦାୟିତ୍ୱ ତୁମର ।"

 

ଏତେବେଳଯାଏଁ ରାଜା ଓ ଗୌତମ ଗୋପନରେ ଦ୍ୱାର ରନ୍ଧ୍ରବାଟେ ମାଳବିକା ଓ ବକୁଳାବଳିକାଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲେ । ବର୍ତ୍ତମାନ ମାଳବିକାକୁ ଦେଖାଦେବାର ଉପଯୁକ୍ତ ସମୟ ଉପସ୍ଥିତ ବୋଲି ମନେକରି ରାଜା ବୟସ୍ୟଙ୍କ ସହିତ ଗୃହ ମଧ୍ୟରେ ପ୍ରବେଶ କରି ମାଳବିକାଙ୍କୁ କହିଲେ, ‘‘ହେ ପଦ୍ମନେତ୍ରି ! ଚିତ୍ରରେ ମୋର ଭାବଭଙ୍ଗୀ ଦେଖି ତୁମେ ମୋ ପ୍ରତି ଏପରି ବିମୁଖ ହେଉଛ କାହିଁକି ? ଦେଖ, ମୁଁ ସାକ୍ଷାତ୍ ଏକାନ୍ତ ଦାସରୂପରେ ତୁମ ଆଗରେ ଉପସ୍ଥିତ-। ତେବେ ମୋ ବିନା ଅନ୍ୟ କିଏ କାହିଁକି ତୁମର କ୍ରୋଧ ଶାନ୍ତ କରିବ ?"

 

ବକୁଳାବଳିକା ରାଜାଙ୍କୁ ଯଥାବିଧି ପ୍ରଣାମ କଲା । ମାଳବିକା ବିଚଳିତ ହୋଇ ଲଜ୍ଜାରେ ମୁହଁପୋତିହେଲେ । ରାଜା ତାଙ୍କର ଗୋଟିଏ ହାତ ଧରିପକାଇ ବକୁଳାବଳିକାକୁ କହିଲେ, ‘‘ଦେଖ, ତୁମର ସଖୀ ମାଳବିକା ମୋତେ କିଛି କଥା କହୁନାହାନ୍ତି ।"

 

ମାଳବିକା ଉତ୍ତର କଲେ,‘‘ମୁଁ ପୁନରାୟ ମୋର ପ୍ରିୟଙ୍କୁ ଦେଖିବାର ସାହସ କରିନଥିଲି ।"

ବକୁଳାବଳିକା କହିଲା, "ଏବେ ମହାରାଜା ଉତ୍ତର ଦିଅନ୍ତୁ ।"

 

"ମୋର କହିବାର ଅଛି କ'ଣ ? ମାଳବିକାଙ୍କ ସେବାରେ ନିଜକୁ ନିଯୁକ୍ତ ରଖିବା ବର୍ତ୍ତମାନ ମୋର ଏକମାତ୍ର କର୍ତ୍ତବ୍ୟ ।"

 

ରାଜାଙ୍କୁ ମାଳବିକାଙ୍କ ସହିତ ନିଭୃତରେ ଆଳାପ କରିବାକୁ ସୁଯୋଗ ଦେବା ଅଭିପ୍ରାୟରେ ଗୌତମ କହିଲେ, ‘‘ବକୁଳାବଳିକା, ଦେଖ, ଏ ହରିଣଶିଶୁଟି ଉଦ୍ୟାନର ଅଶୋକ ତରୁର କୋମଳ ପତ୍ରଗୁଡ଼ିକ ଖାଇଯାଉଅଛି । ଆସ, ଆମେ ଦୁହେଁ ତାକୁ ସେଠାରୁ ତଡ଼ି ଦେବା ।’’ ସଙ୍ଗେ ସଙ୍ଗେ ବକୁଳାବଳିକା ବାହାରି ଆସିଲା । ସେ ଗୌତମଙ୍କୁ କହିଲା, ‘‘ଆର୍ଯ୍ୟ ମୁଁ ଏଠାରେ ଲୁଚିରହୁଛି । ତୁମେ ସମୁଦ୍ରଗୃହର ଦ୍ୱାରକୁ ଜଗିରହିଥାଅ ।"

 

ଦ୍ୱାର ନିକଟରେ ଗୋଟିଏ ସ୍ଫଟିକ ଶିଳାର ବେଦୀ ଥିଲା । ତାହା ଉପରେ ଗୌତମ ବସୁ ବସୁ ଶୋଇପଡ଼ିଲେ ।

 

ରାଜା ମାଳବିକାଙ୍କୁ କହିଲେ, ‘‘ସୁନ୍ଦରୀ, ମୋ ସହିତ ମିଳନକୁ ଭୟ କର ନାହିଁ । ତୁମର ପ୍ରଣୟଲାଗି ମୋର ହୃଦୟ ବ୍ୟାକୁଳ ହେଉଛି । ମୋତେ ଆଲିଙ୍ଗନ କରି କୃତାର୍ଥ କର ।"

 

ମାଳବିକା ଉତ୍ତର କଲେ, "ମହାରାଣୀଙ୍କୁ ଭୟ କରି ମୁଁ ମୋର ଅଭିଳାଷ ପୂରଣ କରିବାକୁ .......’’

ରାଜା- "ନା, ନା, ଭୟ କରିବାର କାରଣ ନାହିଁ ।"

 

ମାଳବିକା ଉପହାସ କଲାପରି କହିଲେ, ‘‘ଆପଣ ଯେ ଭୟ କରନ୍ତି ନାହିଁ, ସେଦିନ ଇରାବତୀଦେବୀଙ୍କ ସାକ୍ଷାତବେଳେ ତା'ର ପରିଚୟ ମିଳିଛି ।"

 

ରାଜା-ହେ ବିମ୍ବୋଷ୍ଠୀ, ପ୍ରେମ ପ୍ରକାଶ କରିବା ହେଉଛି ପ୍ରେମିକମାନଙ୍କର କୁଳଗତ ଲକ୍ଷଣ-। ଏବେ ତୁମକୁ ଆଶାକରି ମୋର ପ୍ରାଣ ରହିଅଛି ।

 

ଏହା କହି ରାଜା ମାଳବିକାଙ୍କୁ ଆଲିଙ୍ଗନ କରିବାକୁ ଅଗ୍ରସର ହେଲେ । ମାଳବିକା ଟିକିଏ ଅପସରିଗଲେ । ନିପୁଣିକା ବୋଲି ରାଣୀ ଇରାବତୀଙ୍କର ଜଣେ ଦାସୀ ଅନ୍ୟ ଜଣେ ଦାସୀଠାରୁ ଶୁଣିଥିଲା ଯେ ଗୌତମ ସମୁଦ୍ରଗୃହର ଅଳିନ୍ଦରେ ଶୋଇଛନ୍ତି । ତେଣୁ ସେ ଇରାବତୀଙ୍କୁ ସେହି ସମ୍ବାଦ ଦେଲା । ଇରାବତୀ ଭାବିଲେ ଯେ ରାଜାଙ୍କର ପ୍ରିୟ ବୟସ୍ୟ ମୃତ୍ୟୁମୁଖରୁ ଉଦ୍ଧାର ପାଇଥିବାରୁ ତାଙ୍କୁ ଦେଖିଆସିବା ଉଚିତ୍ । ଆହୁରି ମଧ୍ୟ ସେ ପତିଙ୍କ ପ୍ରତି କ୍ରୋଧ ପ୍ରକାଶ କରି ଯେଉଁ ଅନ୍ୟାୟ କରିଥିଲେ, ସେଥିପାଇଁ ରାଜାଙ୍କର ଚିତ୍ରକୁ ପୂଜା କରିବା ତାଙ୍କର ଅନ୍ୟ ଉଦ୍ଦେଶ୍ୟ ଥିଲା । ନିପୁଣିକା ରାଣୀଙ୍କର ଆଗମନର ଉଦ୍ଦେଶ୍ୟ ଶୁଣି କହିଲା, "ଦେବୀ, ଏ ବଡ଼ ଆଶ୍ଚର୍ଯ୍ୟ କଥା ଯେ ଆପଣ ନିଜେ ରାଜାଙ୍କଠାରୁ କ୍ଷମା ନ ମାଗି ତାଙ୍କ ଚିତ୍ରକୁ ପୂଜା କରି କ୍ଷମା ମାଗିବାକୁ ଯାଉଅଛନ୍ତି !"

 

ଇରାବତୀ କହିଲେ, "ନିପୁଣିକା, ମହାରାଜା ଆଉ ମୋର ପ୍ରିୟତମ ହୋଇ ରହିନାହାନ୍ତି- ସେ ବର୍ତ୍ତମାନ ଅନ୍ୟର । ତେଣୁ ତାଙ୍କଠାରୁ କ୍ଷମା ନମାଗି ତାଙ୍କ ଚିତ୍ରଠାରୁ ମାଗିବି ।"

 

ଏହି ସମୟରେ ଅନ୍ୟ ଜଣେ ଦାସୀ ଆସି ଇରାବତୀଙ୍କୁ ଏକ ସମ୍ବାଦ ଦେଲା । ସେ କହିଲା, ‘‘ମହାରାଣୀ ଧାରିଣୀଦେବୀ କହିଅଛନ୍ତି- ମୋ ପକ୍ଷରେ ଅନ୍ୟ ପ୍ରତି ଇର୍ଷା କରିବାର ଏ ଉପଯୁକ୍ତ ସମୟ ନୁହେଁ । କେବଳ ତୁମର ଆଦର ସମ୍ମାନ ବଢ଼ାଇବା ପାଇଁ ମୁଁ ମାଳବିକାକୁ ତା'ର ସଖୀ ମହିତ ଶୃଙ୍ଖଳାବଦ୍ଧ କରି ବନ୍ଦିଗୃହରେ ରଖିଛି । ତୁମେ ରାଜାହେଲେ, ମୁଁ ତୁମପାଇଁ ଆର୍ଯ୍ୟପୁତ୍ରଙ୍କୁ ଜଣାଇବି । ତୁମର କ'ଣ ଇଛା ?"

 

ଇରାବତୀ କହିଲେ, ‘‘ନାଗରିକା, ମହାରାଣୀଙ୍କୁ କହିବୁ କି ତାଙ୍କୁ ମୋ କାମରେ ଲଗାଇବାକୁ ମୁଁ କିଏ ? ସେ ନିଜର ଦାସୀମାନଙ୍କୁ କାରାଗାରରେ ବନ୍ଦୀ କରି ମୋ ପ୍ରତି ଯଥେଷ୍ଟ ଆଦର ସ୍ନେହ ଦେଖାଇଅଛନ୍ତି । ତା’ ନହେଲେ ଆଉ କାହାର ଦୟାରୁ ମୋତେ ଆଦର ସମ୍ମାନ ମିଳନ୍ତା ?" ଦାସୀ ନାଗରିକା ଚାଲିଗଲା ।

 

ନିପୁଣିକା ସମୁଦ୍ରଗୃହର ବାରଣ୍ତାରେ ଗୌତମଙ୍କୁ ଦେଖିପାରି କହିଲା, "ଦେବୀ, ଦେଖନ୍ତୁ, ବଜାରର ବୃକ୍ଷଭ ପରି ଗୌତମ କିଭଳି ସମୁଦ୍ରଗୃହର ବାରଣ୍ତାରେ ବସୁ ବସୁ ଶୋଇପଡ଼ିଛନ୍ତି ।"

 

ଏହା ଶୁଣି ରାଣୀ ଇରାବତୀଙ୍କର ଆଶଙ୍କା ହେଲା ଯେ, ଗୌତମଙ୍କର ସର୍ପବିଷ ସମ୍ପୂର୍ଣ୍ଣରୂପେ ଦୂରହୋଇନଥିବ । କିନ୍ତୁ ନିପୁଣିକା କହିଲା, “ନା, ସର୍ପବିଷର ଲକ୍ଷଣ କିଛି ଦେଖାଯାଉନାହିଁ । ତାଙ୍କର ମୁହଁ ପ୍ରସନ୍ନ ଦିଶୁଛି । ଧ୍ରୁବସିଦ୍ଧିଙ୍କ ଚିକିତ୍ସା ପରେ ସର୍ପବିଷ ରହିଥିବା ଅସମ୍ଭବ ।"

 

ଏହି ସମୟରେ ଗୌତମ ସ୍ୱପ୍ନ ଦେଖିଲା ପରି ଚିତ୍କାର କଲେ, "ହେ ମାଳବିକା ! ଇରାବତୀଙ୍କୁ ବଳିଯାଅ ।" ପ୍ରକୃତ ପକ୍ଷରେ ଗୌତମ ନିଦରେ ଶୋଇନଥିଲେ କି ସ୍ୱପ୍ନ ଦେଖୁନଥିଲେ । ଇରାବତୀ ସମୁଦ୍ର ଗୃହର ନିକଟବର୍ତ୍ତୀ ହେଉଥିବାର ଦେଖି ରାଜାଙ୍କୁ ସାବଧାନ କରିଦେବା ଉଦ୍ଦେଶ୍ୟରେ ସେ ନିଦ୍ରାରେ ସ୍ୱପ୍ନ ଦେଖୁଥିବାର ଛଳନା କରି ଚିତ୍କାର କରିଥିଲେ ।

 

ନିପୁଣିକା କହିଲା, "ଦେବୀ, ଏ ଗୌତମ କିପରି ଚିତ୍କାର କରୁଛନ୍ତି । ତାଙ୍କର ତ ମିଠେଇ ଗିଳିବା ଛଡ଼ା ଆଉ କିଛି କାମ ନାହିଁ । ହୁଏତ କାଲି ରାତିରେ ସେ ଗୁଡ଼ାଏ ଖାଇଥିଲେ- ଆଜି ଏଠାରେ ନିଶ୍ଚିନ୍ତରେ ଶୋଇ ସ୍ୱପ୍ନ ଦେଖୁଛନ୍ତି । ଆଚ୍ଛା, ତାଙ୍କର ତ ସାପକୁ ଭାରି ଡର । ତାଙ୍କ ଉପରକୁ ସାପଭଳି ଏ ବଙ୍କା ବାଡ଼ିକୁ ପକାଇ ଦେଇ ଲୁଚିଯାଏଁ ।"

 

ଇରାବତୀଙ୍କୁ ଏ ପ୍ରସ୍ତାବଟି ଖୁବ୍ ଭଲଲାଗିଲା । ନିପୁଣିକା ବଙ୍କାବାଡ଼ିଟି ଗୌତମଙ୍କ ଉପରକୁ ଫିଙ୍ଗିଦେବା ମାତ୍ରେ ସେ ଉଠିପଡ଼ି ଚିତ୍କାର କଲେ, ‘‘ହାୟ, ହାୟ, ମୋ ଉପରେ ସାପଟାଏ ପଡ଼ିଗଲା ।"

 

ରାଜା ତତକ୍ଷଣାତ୍ ତାଙ୍କ ପାଖକୁ ଚାଲି ଆସି କହିଲେ, "ମିତ୍ର, ଏପରି ଭୟ କରିବାର କାରଣ ନାହିଁ ।"

ଏଣେ ମାଳବିକା ମନେକଲେ ବାରଣ୍ତାରେ ସାପ ଦେଖି ଗୌତମ ଚିତ୍କାର କରୁଛନ୍ତି, ତେଣୁ ତାଙ୍କ ପାଖକୁ ଯିବା ରାଜାଙ୍କ ପକ୍ଷରେ ବିପଜ୍ଜନକ । ତାଙ୍କୁ ବାରଣ କରିବା ଉଦ୍ଦେଶ୍ୟରେ ମାଳବିକା ତାଙ୍କ ପଛେ ପଛେ ଘରୁ ବାହାରିଆସିଲେ ।

 

ସେ ଇରାବତୀ ଆଡ଼କୁ ଆସୁଥିବାର ଦେଖି ରାଜା ନିତାନ୍ତ ବିଚଳିତ ହୋଇପଡ଼ିଲେ । ବକୁଳାବଳିକା ‘ସାପ’ ‘ସାପ’ ଚିତ୍କାର ଶୁଣି ଗୋପନ ସ୍ଥାନରୁ ଦଉଡ଼ିଆସି ରାଣୀ ଇରାବତୀଙ୍କୁ ସମ୍ମୁଖରେ ଦେଖିଲେ । ଏଭଳି ପରିସ୍ଥିତିରେ ମାଳବିକା କ'ଣ କରିବେ ବୋଲି ସ୍ଥିରକରି ପାରିଲେ ନାହିଁ । ତାଙ୍କର ଛାତି ଥରିଉଠିଲା ।

 

ରାଜାଙ୍କୁ ଲକ୍ଷ୍ୟକରି ଇରାବତୀ କହିଲେ, "ଦିନରେ ମିଳନର ସଙ୍କେତ ଦେଇ ଆପଣଙ୍କର ମନୋରଥ ପୂର୍ଣ୍ଣ ହେଲାଣି ତ ?’’

ରାଜା ଅପ୍ରସ୍ତୁତ ହେଲାପରି କହିଲେ, "ପ୍ରିୟେ, ଆମ ଉପରେ ଏଭଳି ମାନ କରିବା ଅନୁଚିତ ।"

 

ଏହାପରେ ରାଣୀ କ୍ରୋଧରେ ବକୁଳାବକିକାକୁ କହିଲେ, "ସୌଭାଗ୍ୟର ବିଷୟ ଏହି ଯେ, ଦୂତୀପଣ କରିବାରେ ତୋର ପ୍ରତିଜ୍ଞା ପୂରଣ ହୋଇଅଛି ।" ବକୁଳାବଳିକା କହିଲା, “ଦେବୀ ! ଆମେ ଦୁହେଁ କ'ଣ କରିଛୁ ସେ କଥା ମାହାରାଜାଙ୍କୁ ପଚାରନ୍ତୁ ।"

 

ରାଜା କହିଲେ, "ଦେବୀ, ଅପରାଧ କରିଥିଲେ ସୁଦ୍ଧା ଉତ୍ସବ କାଳରେ ଦାସ ଦାସୀମାନଙ୍କୁ କାରାଗାରରେ ବନ୍ଦୀ କରି ରଖିବା ଅନୁଚିତ । ଏହା ବିଚାରି ମୁଁ ଦୁହିଁଙ୍କୁ ମୁକ୍ତି ଦେଇଅଛି । ତେଣୁ ମୋତେ କୃତଜ୍ଞତା ଜଣାଇବା ପାଇଁ ସେ ଦୁହେଁ ଆସିଛନ୍ତି ।"

 

ଇରାବତୀ ନିପୁଣିକାକୁ ଆଦେଶ ଦେଲେ, “ଯାଆ, ଧାରିଣୀ ଦେବୀଙ୍କୁ ପଚାରିବୁ- ମାଳବିକା ଓ ବକୁଳାବଳିକାଙ୍କୁ କିପରି ମୁକ୍ତି ଦିଆଗଲା- ମୋତେ ଏ ବିଷୟରେ ପଚାରାଗଲା ନାହିଁ କାହିଁକି ?" ନିପୁଣିକା ଚାଲିଗଲା ।

 

ରାଜା ଏବେ ମହା ସମସ୍ୟାରେ ପଡ଼ିଗଲେ; ଗୌତମଙ୍କର ବୁଦ୍ଧି ହଜାଗଲା । ମାଳବିକା ଓ ବକୁଳାବଳିକା ପ୍ରମାଦ ଗଣିବାକୁ ଲାଗିଲେ । ଅଳ୍ପ ସମୟ ପରେ ନିପୁଣିକା ଫେରିଆସି ଇରାବତୀ ଦେବୀଙ୍କୁ କହିଲା, “ଦେବୀ, ଯାଉ ଯାଉ ମାଳବିକାକୁ ଦେଖିଲି । ଏ ସବୁ କିପରି ଘଟିଲା ତାହାଠାରୁ ଶୁଣି ଆସିଲି ।’’ ଏହାପରେ ସେ ଇରାବତୀଙ୍କ କାନପାଖରେ ଚୁପଚୁପ୍ କରି କ'ଣ କହିଲା ।

 

ତହୁଁ ଇରାବତୀ କହିଲେ, "ଏବେ ସବୁ କଥା ବୁଝିପାରିଲି । ସବୁ ହେଉଛି ଆମ ଗୌତମଙ୍କ ଷଡ଼ଯନ୍ତ୍ରର ଫଳ । ତାଙ୍କୁ କାମଶାସ୍ତ୍ରର ନୀତି ବେଶ୍ ଜଣା ।"

 

ଗୌତମ କହିଲେ, ‘‘ଦେବୀ, କାମଶାସ୍ତ୍ର ନୀତିର ଯଦି ଗୋଟିଏ ଅକ୍ଷର ସୁଦ୍ଧା ପଢ଼ିଥାନ୍ତି, ତେବେ ମୁଁ ଗାୟତ୍ରୀମନ୍ତ୍ର ଭୁଲିଯାଇଥାନ୍ତି ।"

 

ଏହି ସମୟରେ ଜୟସେନା ଦଉଡ଼ି ଆସି କହିଲା, “ମହାରାଜ, ଭୟଙ୍କର ବିପଦ ଉପସ୍ଥିତ-। ଜେମା ବସୁଲକ୍ଷ୍ମୀ କନ୍ଦୁକ ଘେନି ଖେଳୁଥିଲେ । ପେଣ୍ତୁଟା ଆଣିବାପାଇଁ ଗଲାବେଳକୁ ପୋଷା ମାଙ୍କଡ଼ଟା ତାଙ୍କୁ ଡରାଇଦେଲା । ସେ ଏବେ ମହାରାଣୀଙ୍କ କୋଳରେ ବସି ଥରୁଛନ୍ତି । ଏତେବେଳଯାଏ ତାଙ୍କର ଚେତା ଆସିନାହିଁ ।"

 

ଇରାବତୀ ନିଜର କ୍ରୋଧ ଭୁଲିଯାଇ କହିଲେ, ‘‘ମହାରାଜା, ଆପଣ ଶୀଘ୍ର ଯାଇ ବସୁଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦିଅନ୍ତୁ ।"

ଗୌତମ ରାଜାଙ୍କୁ ସଙ୍ଗରେ ନେଇ ଅନ୍ତଃପୁରକୁ ଚାଲିଲେ । ବାଟରେ ଗୌତମ କହିଲେ, "ଯାହାହେଉ, ମାଙ୍କଡ଼ ଆମର ଖୁବ୍ ଉପକାର କରିଛି ।"

 

ଏହାପରେ ମାଳବିକା ଓ ବକୁଳାବଳିକାଙ୍କ ଚିନ୍ତା ବଢ଼ିଗଲା । ସେମାନଙ୍କ ଭାଗ୍ୟରେ କ'ଣ ଘଟିବ ?

 

।।ପାଞ୍ଚ।।

ରାଜାଙ୍କ ସହିତ ନିଭୃତ ମିଳନରେ ମାଳବିକା ଯେଉଁ ଆନନ୍ଦ ଆନୁଭବ କରିଥିଲେ, ତାହା କେଉଁଆଡ଼େ ଉଭେଇଗଲା । ଏହି ସମ୍ବାଦ ପାଇଲେ ରାଣୀ ଧାରିଣୀ ତାଙ୍କ ପ୍ରତି ଓ ତାଙ୍କର ସାହାଯ୍ୟକାରିଣୀ ବକୁଳାବଳିକା ପ୍ରତି ଆହୁରି କଠୋର ଦଣ୍ତ ବିଧାନ କରିବେ, ଏ ବିଷୟରେ ସନ୍ଦେହ ନଥିଲା । ତଥାପି ତାଙ୍କର ଗୋଟିଏ କ୍ଷୀଣ ଆଶା ରହିଥିଲା ଧାରିଣୀ ଦେବୀ ଏଥିପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ମାଳବିକାଙ୍କ ପଦାଘାତରେ ପାଞ୍ଚଦିନ ମଧ୍ୟରେ ଅଶୋକତରୁରେ ପୁଷ୍ପ ବିକସିତ ହୁଏ, ତେବେ ସେ ତାଙ୍କର ଗୋଟିଏ ଅଭିଳାଷ ପୂରଣ କରିବେ । ସୌଭାଗ୍ୟବଶତଃ ଯଦି ଅଶୋକରେ ପୁଷ୍ପ ଦେଖାଦିଏ ତାହାହେଲେ ସେ ନିଜର ଏବଂ ବକୁଳାବଳିକାର ମୁକ୍ତି ଭିକ୍ଷା କରିପାରିବେ ।

 

ଯଥାସମୟରେ ମାଳବିକାଙ୍କର ରାଜାଙ୍କ ସହିତ ମିଳନ ସମ୍ବାଦ ଧାରିଣୀଦେବୀଙ୍କର କର୍ଣ୍ଣଗୋଚର ହେଲେ; ସେ ନିତାନ୍ତ କ୍ଷୁବ୍ଧ ହେଲେ । ତାହା ସଙ୍ଗେ ସଙ୍ଗେ ଅନ୍ୟ ଏକ ସମ୍ବାଦ ମିଳିଲା ଯେ, ଅଶୋକତରୁ ପୁଷ୍ପଧାରଣ କରିଛନ୍ତି । ଏଥିରେ ଧାରିଣୀଦେବୀ ମାଳବିକାଙ୍କ ପ୍ରତି ଯେଉଁ ରୋଷ ପୋଷଣ କରିଥିଲେ, ତାହା ଅନ୍ତର୍ହିତ ହୋଇଗଲା । ମାଳବିକାଙ୍କୁ ଆଉ ଦଣ୍ତଦେବା ଉଚିତ ହେବ ନାହିଁ- ସେ ଅନୁଭବ କଲେ ।

 

ଏହି ସମୟରେ ଆଉ ଏକ ଶୁଭ ସମ୍ବାଦ ମିଳିଲା । ଅଗ୍ନିମିତ୍ରଙ୍କ ପୁତ୍ର ବସୁମିତ୍ର ପିତାମହ ପୁଷ୍ୟମିତ୍ରଙ୍କ ଦ୍ୱାରା ଅଶ୍ୱମେଧ ଯଜ୍ଞର ଅଶ୍ୱକୁ ରକ୍ଷା କରିବା ନିମନ୍ତେ ପ୍ରେରିତ ହୋଇଥିଲେ । ଅଶ୍ୱରକ୍ଷକମାନଙ୍କ ସହିତ ଯାତ୍ରାକରିବା ଦିନଠାରୁ ଧାରିଣୀଦେବୀ ତାଙ୍କର ଯଶ ଓ ଆୟୁଷ କାମନାରେ ପ୍ରତିମାସରେ ଅଷ୍ଟାଦଶ ସୁବର୍ଣ୍ଣ ସୁଦ୍ରା ଉପଯୁକ୍ତ ବ୍ରାହ୍ମଣଙ୍କୁ ଦାନ କରାଉଥିଲେ । ସେଦିନ ରାଣୀ ସାରସକ ନାମକ ଭୃତ୍ୟ ହସ୍ତରେ ସ୍ୱର୍ଣ୍ଣସୁଦ୍ରା ପଠାଇଦେଇ ମଙ୍ଗଳଗୃହରେ ପ୍ରବେଶ କଲେ । ଏହି ସମୟରେ ତାଙ୍କର ଭ୍ରାତା ବୀରସେନଙ୍କଠାରୁ ଜଣେ ଦୂତ ଖଣ୍ତିଏ ପତ୍ର ଆଣି ଉପସ୍ଥିତ ହେଲା । ଧାରିଣୀଦେବୀ ଉକ୍ତ ପତ୍ରରୁ ଅବଗତ ହେଲେ ଯେ ବୀରସେନ ବିଦର୍ଭରାଜ ଯଜ୍ଞସେନଙ୍କୁ ପରାସ୍ତ କରି ମନ୍ତ୍ରୀ ମାଧବସେନଙ୍କୁ ତାଙ୍କଠାରୁ ମୁକ୍ତ କରିଅଛନ୍ତି । ମାଧବସେନ କୃତଜ୍ଞତା ପ୍ରଦର୍ଶନ ନିମନ୍ତେ ବହୁମୂଲ୍ୟ ରତ୍ନ, ହସ୍ତୀ, ଅଶ୍ୱ ଓ ରଥ ସହିତ ବହୁସଂଖ୍ୟକ ଶିଳ୍ପ, କଳାକାର, ଦାସଦାସୀ ମହାରାଜାଙ୍କ ନିକଟକୁ ପ୍ରେରଣ କରିଅଛନ୍ତି । ତତ୍ପରଦିନ ସେମାନେ ସହାରାଜାଙ୍କ ନିକଟରେ ପହଞ୍ଚିଯିବେ ।

 

ବୀରସେନଙ୍କର ଏହି ବିଜୟ ସମ୍ବାଦରେ ରାଣୀ ଧାରିଣୀଙ୍କର ଆନନ୍ଦର ସୀମା ରହିଲା ନାହିଁ । ସମସ୍ତେ ଆନନ୍ଦରେ ବିଭୋର । ଶତ୍ରୁ ବିଦର୍ଭରାଜ ପରାଭୂତ, ମନ୍ତ୍ରୀ ମାଧବସେନ ମୁକ୍ତ ହୋଇଅଛନ୍ତି । ଏଥିରେ ବିଦିଶାର ପ୍ରତ୍ୟେକ ନରନାରୀ ଆନନ୍ଦିତ ହେବା ସ୍ୱାଭାବିକ । ଠିକ୍ ଏହି ସମୟରେ ଅଶୋକତରୁ କୁସୁମିତ ହୋଇଥିବା ସମ୍ବାଦ ସେ ପାଇଲେ । ମାଳବିକାଙ୍କ ପଦାଘାତରେ ନିର୍ଦ୍ଦିଷ୍ଟ ଦିବସର ଦିନକ ପୂର୍ବରୁ ଅଶୋକବୃକ୍ଷ ପୁଷ୍ପ ଧାରଣ କରିଥିବାରୁ ସେ ପୁରସ୍କାର ପାଇବାର ଯୋଗ୍ୟା । ରାଣୀ ଧାରିଣୀ ମଧ୍ୟ ଏଥିନିମନ୍ତେ ମାଳବିକାଙ୍କ କାମନା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏପରିସ୍ଥଳେ ତାଙ୍କୁ ବନ୍ଦିନୀକରି ରଖିଥିବାରୁ ସେ ଅନୁତାପ କଲେ । ମାତ୍ର ଅଳ୍ପକ୍ଷଣ ପରେ ସେ ଅବଗତ ହେଲେ ଯେ ଗୌତମ କୌଶଳକରି ତାଙ୍କର ସର୍ପାଙ୍କିତ ଆଙ୍ଗୁରୀୟ ହସ୍ତଗତ କରି ମାଳବିକାକୁ ବନ୍ଧନମୁକ୍ତ କରିଅଛନ୍ତି । ତେଣୁ ସେ ଗୌତମଙ୍କ ଉପରେ କ୍ରୁଦ୍ଧ ନ ହୋଇ ବରଂ ତାଙ୍କ ଉପରେ ସନ୍ତୁଷ୍ଟ ହେଲେ ।

 

ଧାରିଣୀଦେବୀ ନବବିକସିତ ଅଶୋକବୃକ୍ଷ ଦେଖିବା ନିମନ୍ତେ ରାଜା ଓ ଗୌତମଙ୍କୁ ନିମନ୍ତ୍ରଣ କଲେ । ତାହା ସଙ୍ଗେ ମାଳବିକାଙ୍କୁ ସୁବେଶକରି ଆଣିବା ପାଇଁ କୌଶିକୀଙ୍କୁ ଅନୁରୋଧ କଲେ । ରାଜପୁରୀର ଦାସଦାସୀମାନଙ୍କୁ ମଧ୍ୟ ପ୍ରମୋଦ ଉଦ୍ୟାନରେ ଉପସ୍ଥିତ ହେବାକୁ ଜଣାଇଦିଆଗଲା ।

 

ଯଥା ସମୟରେ ସମସ୍ତେ ପ୍ରମୋଦ ଉଦ୍ୟାନରେ ଉପସ୍ଥିତ ହେଲେ । ମାଳବିକାଙ୍କର ମନ ଆଶା ଓ ଆଶଙ୍କାରେ ପୂରିଯାଇଥିଲା । ରାଜା ଓ ତାଙ୍କ ସଖା ଗୌତମ ରାଣୀଙ୍କର ଉଦ୍ଦେଶ୍ୟ ବୁଝିପାରିଲେ ନାହିଁ । ରାଜା ରାଣୀଙ୍କ ସମକ୍ଷରେ ମାଳବିକାଙ୍କ ଉପରେ ଦୃଷ୍ଟି ପକାଇବାକୁ ସଙ୍କୋଚ ବୋଧକଲେ । ଅଶୋକ ବୃକ୍ଷର ପୁଷ୍ପସମ୍ଭାର ଦେଖିବା ପାଇଁ ରାଣୀ ରାଜାଙ୍କୁ ଅନୁରୋଧ କରିବାରୁ ରାଜା ଅଶୋକ ବୃକ୍ଷର ପ୍ରଶଂସା କଲେ ଓ ତାହା ସଙ୍ଗେ ରାଣୀଙ୍କର ମଧ୍ୟ ପ୍ରଶଂସା କଲେ ।

 

ଏହି ଅବସରରେ ଗୌତମ କହିଲେ, ‘‘ସଖେ, ଯେଉଁ ମାଳବିକାଙ୍କ ପଦାଘାତରେ ଅଶୋକବୃକ୍ଷ ଏଭଳି ଅପୂର୍ବଶ୍ରୀରେ ମଣ୍ତିତ, ତାଙ୍କୁ ମଧ୍ୟ ଧନ୍ୟବାଦ ଦେବା ଉଚିତ ନୁହେଁ କି ?"

 

ରାଜା ଦେଖିଲେ ମାଳବିକା ବିବାହର କନ୍ୟାଭଳି ସୁନ୍ଦର ବସନ ଭୂଷଣରେ ବିମଣ୍ତିତା ହୋଇଅଛନ୍ତି । ତାଙ୍କ ହୃଦୟରେ ଗଭୀର ଆନନ୍ଦ ଓ ବିସ୍ମୟ ଜାତହେଲା ।

 

ଏହି ସମୟରେ କଞ୍ଚୁକୀ ଆସି ସମ୍ବାଦ ଦେଲା ଯେ, ବୀରସେନ ମହାରାଜାଙ୍କ ଉଦ୍ଦେଶ୍ୟରେ ବହୁ ମୂଲ୍ୟବାନ ଉପହାରସହ ଦୁଇଜଣ କଳାକୁଶଳା ଯୁବତୀଙ୍କୁ ପଠାଇଅଛନ୍ତି । ରାଜାଙ୍କ ଅନୁମତି କ୍ରମେ ସେ ଦୁହିଁଙ୍କୁ ପ୍ରମୋଦ ଉଦ୍ୟାନକୁ ଅଣାଗଲା । ସେମାନେ ଗୀତବାଦ୍ୟରେ ନିପୁଣା ବୋଲି ଜଣାଇବାରୁ ରାଜା ସେମାନଙ୍କୁ ରାଣୀଙ୍କ ନିକଟକୁ ନେଇଗଲେ ।

 

ଆଗନ୍ତୁକା ଦୁହେଁ ରାଣୀଙ୍କ ନିକଟରେ ମାଳବିକାଙ୍କୁ ଦେଖି ବିସ୍ମୟରେ ସ୍ତବ୍ଧ ହୋଇଗଲେ; ହଠାତ୍ ନିଜ ଚକ୍ଷୁକୁ ବିଶ୍ୱାସ କରିପାରିଲେ ନାହିଁ । କିଛି ସମୟ ପରେ ସେମାନେ ମାଳବିକାଙ୍କୁ ପ୍ରଶ୍ନ କଲେ, "ଆମ ବିଦର୍ଭ ରାଜକୁମାରୀ କିପରି ଏଠାକୁ ଆସିଲେ ? ଏ ବଡ଼ ରହସ୍ୟମୟ ବୋଧହେଉଅଛି ।"

ଧାରିଣୀଦେବୀ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ସେ କହିଲେ, ‘‘ତୁମମାନଙ୍କର କଥା ମୁଁ ବୁଝିପାରୁନାହିଁ । କାହାକୁ ରାଜକୁମାରୀ କହୁଅଛ ?"

 

ସେ ଦୁହେଁ ମାଳବିକାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, “ଏଇ ଯେ ବିଦର୍ଭରାଜ ମାଧବସେନଙ୍କ ଭଗିନୀ ମାଳବିକା ! ବିଦିଶାର ରାଜାଙ୍କ ସଙ୍ଗେ ତାଙ୍କର ବିବାହ ହେବ ବୋଲି ମାଧବସେନ ପରିଜନ ସହ ତାଙ୍କୁ ଘେନି ଆସୁଥିବା ସମୟରେ ବିଦର୍ଭର ଜଣେ ସାମନ୍ତ ପଥ ମଧ୍ୟରେ ସେମାନଙ୍କୁ ଆକ୍ରମଣ କଲେ । ଉଭୟ ପକ୍ଷର ସଂଘର୍ଷ ଫଳରେ ମାଧବସେନ ବନ୍ଦୀ ହେଲେ ।"

 

ଏହି ସମୟରେ ରାଜା କହିଲେ, ‘‘ହଁ ହଁ, ସେ ବିଷୟରେ ମୁଁ କିଛି କିଛି ଶୁଣିଛି । ଆଛା, ମାଧବସେନ ବନ୍ଦୀ ହେବା ପରେ କ'ଣ ହେଲା ?"

 

କୌଶିକୀ ରାଣୀଙ୍କ ନିକଟରେ ଛିଡ଼ାହୋଇ ତାଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ତାଙ୍କର ସ୍ୱର ପରିଚିତ ସ୍ୱର ପରି ଜଣାଗଲା । ତାଙ୍କୁ ଦେଖିଲା ପରେ ପରିବ୍ରାଜିକା ବେଶ ଧାରଣ କରିଥିଲେ ହେଁ ସେ ଯେ ମାଧବସେନଙ୍କ ମନ୍ତ୍ରୀ ସୁମତିଙ୍କର ଭଗିନୀ, ଏଥିରେ ସେମାନଙ୍କର ସନ୍ଦେହ ରହିଲା ନାହିଁ । ସେମାନେ ଆନନ୍ଦରେ କୌଶିକୀ ଓ ମାଳବିକାକୁ ଆଲିଙ୍ଗନ କଲେ । ସେମାନଙ୍କ ଚକ୍ଷୁରୁ ଲୋତକଧାରା ବହିଗଲା । ଏ ଯେ ମିଳନର ଆନନ୍ଦାଶ୍ରୁ !

 

ଧାରିଣୀଦେବୀ ଆନନ୍ଦ ଓ ବିସ୍ମୟରେ ସ୍ତମ୍ଭୀଭୂତ ହୋଇଗଲେ । ଅଜ୍ଞାତସାରରେ ତାଙ୍କ ତୁଣ୍ତରୁ ବାହାରିପଡ଼ିଲା- ମାଳବିକା ରାଜକନ୍ୟା ! ହାୟ ମୁଁ କି ଘୋର ଅନ୍ୟାୟ କରିଛି ? ତହୁଁ ସେ କୌଶିକୀଙ୍କୁ ଅନୁରୋଧ କଲେ, "ସମଗ୍ର ଘଟନା ମୋତେ ଆମୂଳଚୂଳ କହନ୍ତୁ ।"

 

ମାଧବସେନ କିପରି ମାଳବିକା ଓ ତାଙ୍କୁ ସଙ୍ଗରେ ନେଇ ବିଦିଶାକୁ ଆସୁଥିଲେ, ପଥ ମଧ୍ୟରେ ବିଦର୍ଭର ସୈନ୍ୟମାନେ କିପରି ସେମାନଙ୍କୁ ଆକ୍ରମଣ କରି ମାଧବସେନଙ୍କୁ ବନ୍ଦୀ କରି ନେଇଥିଲେ, ସୁମତି କିପରି ଦସ୍ୟୁମାନଙ୍କ କବଳରେ ପଡ଼ି ନିହତ ହୋଇଥିଲେ ଓ ପରିଶେଷରେ ସେ କିପରି ମାଳବିକାଙ୍କ ସହିତ ବିଦିଶାର ରାଜଅନ୍ତଃପୁରରେ ଆଶ୍ରୟ ନେଇଥିଲେ- ଏ ସବୁ କୌଶିକୀ ବିଶଦଭାବରେ ବର୍ଣ୍ଣନା କରିଗଲେ ।

ରାଜା ଓ ରାଣୀ ନିବିଷ୍ଟ ଭାବରେ କୌଶିକୀଙ୍କର ବର୍ଣ୍ଣନା ଶୁଣୁଥିଲେ । ରାଜା କହିଲେ, "ହାୟ ! ଆମେ ଏମାନଙ୍କ ପ୍ରତି ଘୋର ଅନ୍ୟାୟ କରିଥାଏଁ । ଉପଯୁକ୍ତ ଆଦର ସମ୍ମାନ ଦେଖାଇବାରେ ଆମର ତ୍ରୁଟି ବାସ୍ତବରେ ଅକ୍ଷମଣୀୟ ।"

 

ରାଣୀ ଧାରିଣୀ ମଧ୍ୟ ବହୁତ ଅନୁତାପ କଲେ । ସେ କୌଶିକୀଙ୍କୁ କହିଲେ, "ଭଦ୍ରେ, ଆପଣ ଆମମାନଙ୍କ ପ୍ରତି ଅନ୍ୟାୟ କରିଅଛନ୍ତି । ମାଳବିକା ଜଣେ ରାଜକନ୍ୟା- ଏକଥା ଆମମାନଙ୍କୁ ଜଣାଇବା ଉଚିତ ଥିଲା, ତାହାହେଲେ ମାଳବିକାଙ୍କ ପ୍ରତି ଆମେ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରାଇପାରିଥାନ୍ତୁ । ତାଙ୍କୁ ଯେ ଏତେ ଦୁଃଖକଷ୍ଟ ଭୋଗ କରିବାକୁ ହେଲା ତାହା ହୋଇନଥାନ୍ତେ ।"

 

କୌଶିକୀ ଉତ୍ତର କଲେ, ‘‘ଦେବୀ, ମୁଁ ଯେ ଏପର୍ଯ୍ୟନ୍ତ ମାଳବିକାଙ୍କର ପରିଚୟ ଗୋପନ ରଖିଥିଲି, ସେଥିର କାରଣ ଅଛି । ତାଙ୍କ ପ୍ରତି କୁଳୋଚିତ ଆଦର ଗୌରବ ପ୍ରଦର୍ଶନ କରିନଥିବାରୁ ଆପଣ ଅନୁତାପ କରିବାର କାରଣ ନାହିଁ । ଯଦି ସେ କିଛି ଦୁଃଖକଷ୍ଟ ଭୋଗ କରିଛନ୍ତି, ତେବେ ତାହା ତାଙ୍କର କପାଳଲିଖନ କହିବାକୁ ହେବ । ଅନେକ ବର୍ଷ ପୂର୍ବେ ମାଳବିକାଙ୍କ ପିତା ଜୀବିତ ଥିବା ସମୟରେ ଏକ ଉତ୍ସବ ଉପଲକ୍ଷ୍ୟରେ ଜଣେ ମହାନ୍ ସାଧୁ ଆସିଥିଲେ । ସେ ମାଳବିକାଙ୍କ ଭବିଷ୍ୟତ ବିଷୟରେ ମୋତେ କହିଥିଲେ ଯେ, ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଦାସୀବୃତ୍ତି କରିବାକୁ ହେବ, ତତ୍ପରେ ସେ ନିଜର ଯୋଗ୍ୟ ପତି ଲାଭ କରିବେ । ମୁଁ ଦେଖିଲି, ସାଧୁଙ୍କର ଭବିଷ୍ୟତବାଣୀ ସଫଳ ହେଉଅଛି । ତେଣୁ ତାଙ୍କର ସେହି ବର୍ଷଟି ଆପଣଙ୍କ ସେବାରେ ନିଯୁକ୍ତି କରାଇବା ମୁଁ ଉଚିତ ମନେକରିଥିଲି । ଆଶା କରେ ମୁଁ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ଆପଣମାନଙ୍କ ନିକଟରେ ପ୍ରକାଶ କରିନଥିବାରୁ ମୋ ଉପରେ ଦୋଷାରୋପ କରିବେ ନାହିଁ । ଭାଗ୍ୟଲିପି ଅଖଣ୍ତନୀୟ । ଯାହା ହେବାର ଥିଲା, ତାହାହିଁ ହୋଇଅଛି ।"

 

ଏହି ସମୟରେ କଞ୍ଚୁକୀ ମହାମନ୍ତ୍ରୀଙ୍କଠାରୁ ସମ୍ବାଦ ଆଣି ଉପସ୍ଥିତ ହେଲା । ସେ କହିଲା- ମହାମନ୍ତ୍ରୀ ବିଦର୍ଭରାଜ୍ୟ ବିଷୟରେ ଗୋଟିଏ ସିଦ୍ଧାନ୍ତ କରିଅଛନ୍ତି । ସେ ସମ୍ପର୍କରେ ମହାରାଜାଙ୍କର ଅଭିପ୍ରାୟ ଜାଣିବାକୁ ତାଙ୍କର ଇଛା ।"

 

ଟିକିଏ ଚିନ୍ତାକରି ରାଜା କହିଲେ, "ଯାଅ, ମହାମନ୍ତ୍ରୀଙ୍କୁ ଜଣାଇଦିଅ ଯେ ବିଦର୍ଭରାଜ୍ୟକୁ ଦୁଇ ଭାଗ କରି ମାଧବସେନ ଓ ଯଜ୍ଞସେନଙ୍କ ମଧ୍ୟରେ ବଣ୍ଟନ କରିଦିଆଯାଉ । ବରଦା ନଦୀ ଉଭୟଙ୍କ ରାଜ୍ୟର ମଧ୍ୟବର୍ତ୍ତୀ ସୀମା ହେବ-ତାହାହେଲେ ଦୁଇଭାଇଙ୍କ ଭିତରେ ବିବାଦର ଅବକାଶ ରହିବ ନାହିଁ ।"

 

ତାଙ୍କର କଥା ଶେଷ ନହେଉଣୁ ପିତା ପୁଷ୍ପମିତ୍ରଙ୍କ ନିକଟରୁ ଜଣେ ଦୂତ ପତ୍ର ଘେନି ଉପସ୍ଥିତ ହେଲା । ଏହି ପତ୍ରରୁ ଜଣାଗଲା ଯେ, ପୁଷ୍ପମିତ୍ର ଏକ ଅଶ୍ୱମେଧଯଜ୍ଞ ଅନୁଷ୍ଠାନ କରୁଅଛନ୍ତି-। ପୁତ୍ର ଅଗ୍ନିମିତ୍ରଙ୍କୁ ଶୁଭେଚ୍ଛା ଜଣାଇ ସେ ଲେଖିଥିଲେ - "ଯଜ୍ଞ ନିମିତ୍ତ ଉଦ୍ଦିଷ୍ଟ ଅଶ୍ୱ ବିଭିନ୍ନ ରାଜ୍ୟରେ ଭ୍ରମଣ କଲାବେଳେ ତାହାର ସୁରକ୍ଷା ନିମନ୍ତେ ମୁଁ ତୁମ୍ଭର ପୁତ୍ର ବସୁମିତ୍ରଙ୍କ ନେତୃତ୍ୟରେ ଶହେ ଜଣ ରାଜାଙ୍କୁ ପ୍ରେରଣ କରିଥିଲି । କେତେ ରାଜ୍ୟ ଅତିକ୍ରମ କରି ସେମାନେ ସିନ୍ଧୁ ନଦୀର ଦକ୍ଷିଣ ତଟରେ ଉପସ୍ଥିତ ହୁଅନ୍ତେ ଦଳେ ଯବନ ଅଶ୍ୱାରୋହୀ ସେମାନଙ୍କୁ ବାଧା ଦେଲେ । ଉଭୟ ପକ୍ଷର ଘୋର ଯୁଦ୍ଧ ହେଲା ଏଥିରେ କୁମାର ବସୁମିତ୍ର ଯେଉଁ ପରାକ୍ରମ ପ୍ରଦର୍ଶନ କଲେ ତାହା ଅତୁଳନୀୟ । ଯବନମାନେ ପରାସ୍ତ ହୋଇ ପଳାୟନ କଲେ । ସଗରରାଜା ତାଙ୍କ ପୌତ୍ର ଅଂଶୁମାନଙ୍କ ସାହାଯ୍ୟରେ ଯେପରି ଅଶ୍ୱମେଧ ଯଜ୍ଞ କରି ସୂର୍ଯ୍ୟବଂଶର ଗୌରବ ବୃଦ୍ଧି କରିଥିଲେ ମୁଁ ସେହିପରି ବସୁମିତ୍ରଙ୍କ ସହାୟତାରେ ନିର୍ବିଘ୍ନରେ ଅଶ୍ୱମେଧ ଯଜ୍ଞ ସମାପ୍ତ କରିପାରିବି ଏ ବିଷୟରେ ମୋର ସନ୍ଦେହ ନାହିଁ । ବଧୂମାନଙ୍କ ସହିତ ତୁମେ ଅତିଶୀଘ୍ର ଏହି ଯଜ୍ଞରେ ଯୋଗଦାନ କରିବାକୁ ମୋର ଅନୁରୋଧ ।"

 

ପତ୍ରର ବିଷୟବସ୍ତୁ ଅବଗତ ହୋଇ ରାଜା ଅଗ୍ନିମିତ୍ର ଓ ମହାରାଣୀ ଧାରିଣୀ ଆନନ୍ଦରେ ଉତଫୁଲ୍ଲ ହୋଇଉଠିଲେ । ସେମାନଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ବିଗଳିତ ହେଲା । ପୁତ୍ରର ଗୌରବରେ ପିତାମାତା ନିଜକୁ ଗୌରବାନ୍ୱିତ ମନେକରିବା ସ୍ୱାଭାବିକ । ପତ୍ରର ମର୍ମ ଅବଗତ ହୋଇ ପରିବ୍ରାଜିକା ଆନନ୍ଦ ପ୍ରକାଶ କରି ଧାରିଣୀ ଦେବୀଙ୍କୁ ସମ୍ବୋଧନ କରି କହିଲେ- "ଆଜି ପର୍ଯ୍ୟନ୍ତ ଆପଣ ‘ବୀରପତ୍ନୀ’ ମାନଙ୍କର ଅଗ୍ରଗଣ୍ୟ ଥିଲେ, ଆଜି ପୁତ୍ରର ବୀରତ୍ୱ ହେତୁ ‘ବୀରଜନନୀ’ ମାନଙ୍କର ଶୀର୍ଷଦେଶରେ ପ୍ରତିଷ୍ଠିତ ହେଲେ ।"

 

କଞ୍ଚୁକୀ କହିଲା, ‘‘କୁମାରଙ୍କର ଏହି ବୀରତ୍ୱ କାହାଣୀ ଶୁଣି ମୋ ମନରେ ବିସ୍ମୟ ହୋଇ ନାହିଁ । ଯାହାଙ୍କର ଜନ୍ମଦାତା ଏପରି ଅଜେୟ ବୀର, ସେ ଯେ ପ୍ରବଳ ପରାକ୍ରାନ୍ତ ବୀର ହେବେ ଏଥିରେ ସନ୍ଦେହ ନାହିଁ ।"

 

ଏହି ଆନନ୍ଦ ଉତ୍ସବରେ ସମସ୍ତ ବନ୍ଦୀଙ୍କୁ ମୁକ୍ତି ଦେବା ପାଇଁ ରାଜା ଆଦେଶ ଦେଲେ ।

ରାଣୀ ଧାରିଣୀ ନିଜ ସହଚରୀ ଜୟସେନାକୁ ଆଦେଶ ଦେଲେ- "ଯାଅ, ରାଜପ୍ରାସାଦରେ ଥିବା ରାଣୀ ଇରାବତୀ ଓ ସମସ୍ତ ଦାସଦାସୀଙ୍କୁ ଏହି ଶୁଭ ସମ୍ବାଦ ଜଣାଇଦେବୁ । ଇରାବତୀ ଦେବୀଙ୍କୁ କହିବୁ ଯେ ଅଶୋକ ବୃକ୍ଷ ପୁଷ୍ପ ଧାରଣ କଲେ ମାଳବିକାଙ୍କୁ ମୁଁ ଯେଉଁ ପୁରସ୍କାରର ପ୍ରତିଶ୍ରୁତି ଦେଇଥିଲି ତାହା ପାଳନ କରିବାକୁ ହେବ । ବିଶେଷତଃ ମାଳବିକା ଉଚ୍ଚ ରାଜକୁଳରେ ଜାତ । ଇରାବତୀ ଦେବୀ ଯେପରି ମୋତେ ସେହି ସତ୍ୟରୁ ଭ୍ରଷ୍ଟ ନ କରାନ୍ତି ।"

 

ଜୟସେନା ରାଜପୁରୀରେ ଏହି ସମ୍ବାଦ ଦେଇ ପ୍ରଚୁର ବହୁମୂଲ୍ୟ ପୁରସ୍କାର ଲାଭକଲା । ଇରାବତୀ ସମ୍ବାଦ ଦେଲେ - " ଆପଣ ହେଉଛନ୍ତି ପାଟରାଣୀ, ରାଜପୁରୀରେ ଆପଣଙ୍କର ଅଧିକାର ଅବ୍ୟାହତ । ଆପଣ ଯାହା କରିବେ ତାହା ଯେ ନ୍ୟାୟସଙ୍ଗତ ହେବ, ଏହା ନିଃସେନ୍ଦହ । ମାଳବିକାଙ୍କୁ ଆପଣ ଯେଉଁ ପ୍ରତିଶ୍ରୁତି ଦେଇ ଅଛନ୍ତି, ତାହା ଅବଶ୍ୟ ପାଳନ କରିବାକୁ ହେବ ।"

 

ଧାରିଣୀଦେବୀ ପରିବ୍ରାଜିକାଙ୍କୁ କହିଲେ, ‘‘ଆର୍ଯ୍ୟେ, ସୁମତିଙ୍କର ଅଭିଳାଷ ଥିଲା, ସେ ମାଳବିକାଙ୍କୁ ଆମ ମହାରାଜାଙ୍କ ହସ୍ତରେ ଅର୍ପଣ କରିଥାନ୍ତେ । ମୁଁ ଏବେ ତାଙ୍କର ସେହି ଅଭିଳାଷ ପୂରଣ କରିବାକୁ ଇଛା କରେ । ସେଥିପାଇଁ ଆପଣଙ୍କର ଅନୁମତି ଚାହୁଁଛି ।"

 

ପରିବ୍ରାଜିକା ଉତ୍ତର କଲେ, "ଏବେ ସୁଦ୍ଧା ଆପଣଙ୍କର ମାଳବିକା ଉପରେ ପୂର୍ଣ୍ଣ ଅଧିକାର ରହିଛି । ମୁଁ ଆପଣଙ୍କର ଇଛା ବିରୁଦ୍ଧରେ କିଛି କରି ନ ପାରେ ।"

 

ଧାରିଣୀ ଦେବୀ ମାଳବିକାଙ୍କ ହାତଧରି ରାଜାଙ୍କର ସମ୍ମୁଖୀନ ହୋଇ କହିଲେ, "ଆର୍ଯ୍ୟପୁତ୍ର, ଆପଣ ଆଜି ଯେଉଁ ଶୁଭ ସମାଚାର ଶୁଣାଇଲେ ସେଥିପାଇଁ ଏହି ଯୋଗ୍ୟ ପୁରସ୍କାର ଗ୍ରହଣ କରନ୍ତୁ ।’’ ରାଜା ଲଜ୍ଜାବନତ ମୁଖରେ ତଳକୁ ଚାହିଁ ନୀରବ ରହିଲେ ।

 

ବିଦୂଷକ କହିଲେ, "ମହାରାଣୀ, ରାଜା ଯେ ଲାଜରେ ମୁହଁ ତଳକୁ ପୋତିଛନ୍ତି ଏଥିରେ ଆଶ୍ଚର୍ଯ୍ୟ କ'ଣ ? ବିବାହରେ ବର ଲାଜ କରିବା ଅତି ସାଧାରଣ କଥା । ମୌନଂ ସମ୍ମତି ଲକ୍ଷଣମ୍-। ହଁ, ଆଉ ଗୋଟିଏ କଥା ହୋଇପାରେ- ରାଜା ମାଳବିକାଙ୍କୁ କେବଳ ରାଣୀରୂପେ ଗ୍ରହଣ କରିବାକୁ ଚାହାନ୍ତି ।"

 

ଧାରିଣୀ ଦେବୀ ଉତ୍ତର କଲେ, "ମାଳବିକା ରାଜକୁଳରେ ଜନ୍ମିଛନ୍ତି- ତେଣୁ ସେ ତ ଜନ୍ମରୁ ‘ରାଣୀ’ । ମୁଁ ସେଇ କଥା କହି ପୁନରୁକ୍ତି କରିବାର ଆବଶ୍ୟକତା କ'ଣ ?"

 

ପରିବ୍ରାଜିକା କହିଲେ, "ସେକଥା ସତ, ତଥାପି ଖଣିରୁ ବାହାରିବା ବେଳୁ ରତ୍ନର ଜାତି ସ୍ଥିର ହୋଇଥାଏ, କିନ୍ତୁ ସଂସ୍କାର ବିନା ସେହି ରତ୍ନ ସୁନାର ଅଳଙ୍କାରରେ ସଂଯୁକ୍ତ ହୁଏ ନାହିଁ ।"

 

ଧାରିଣୀ ଦେବୀ ପରିବ୍ରାଜିକାଙ୍କର ଉଦ୍ଦେଶ୍ୟ ବୁଝିପାରିଲେ । ବିଧିସମ୍ମତ ବିବାହ ବିନା ମାଳବିକା ରାଣୀରୂପେ ବିବେଚିତ ହେବେ ନାହିଁ- ଏହାହିଁ ତାଙ୍କର ଅଭିପ୍ରାୟ ଥିଲା । ତେଣୁ ଧାରିଣୀ ଦେବୀ କହିଲେ, "ମୋତେ କ୍ଷମାକରିବେ । କୁମାରଙ୍କର ବିଜୟବାର୍ତ୍ତା ଶୁଣୁଶୁଣୁ ମୁଁ ସେ ବିଷୟ ପ୍ରତି ଧ୍ୟାନ ଦେଇପାରିନଥିଲି । ଜୟସେନା, ଯାଅ, ଶୀଘ୍ର ବିହାହ ଉପଯୋଗୀ ଅବଗୁଣ୍ଠନ ନେଇଆସ ।"

 

ଅବଗୁଣ୍ଠନବତୀ ମାଳବିକାଙ୍କୁ ଦେଖାଇ ମହାରାଣୀ କହିଲେ, "ଆର୍ଯ୍ୟପୁତ୍ର ଏବେ ମୋର ଉପହାର ଗ୍ରହଣ କରନ୍ତୁ ।"

 

ରାଜା ପରମାନନ୍ଦରେ ମାଳବିକାଙ୍କୁ ଗ୍ରହଣ କଲେ । ଉପସ୍ଥିତ ଦାସଦାସୀ ପ୍ରଭୃତି ନୂତନ ରାଣୀ ମାଳବିକାଙ୍କର ଜୟଗାନ କଲେ ।

 

ବିଶ୍ୱସାହିତ୍ୟ ଗ୍ରନ୍ଥମାଳା

ଶିହରଣ ଓ ରୋମାଞ୍ଚ ଦେଇପାରୁଥିବା କାହାଣୀ ବହି କିଶୋରପାଠକମାନଙ୍କୁ ବିମୋହିତ କରେ । ଓଡ଼ିଆ ପିଲାଙ୍କୁ ସେଭଳି ବହି ଯୋଗାଇଦେଇଛି ବିଶ୍ୱସାହିତ୍ୟ ଗ୍ରନ୍ଥମାଳାର ଶତାଧିକ ବହି-। ସେମାନେ ଏଇ ବହିଗୁଡ଼ିକ ପଢ଼ି ଆନନ୍ଦ ପାଇଛନ୍ତି, ବିଶ୍ୱସାହିତ୍ୟ ସହ ପରିଚିତ ହୋଇଛନ୍ତି ଓ ବହି ପଢ଼ିବା ଅଭ୍ୟାସ ଲାଭକରିଛନ୍ତି ।

 

ସବୁ ପୁସ୍ତକମେଳା ଓ ଲାଇବ୍ରେରୀରେ ଛାତ୍ର- ଛାତ୍ରୀମାନେ ଖୋଜିଛନ୍ତି ବିଶ୍ୱସାହିତ୍ୟ ଗ୍ରନ୍ଥମାଳାର ରୋମାଞ୍ଚକର ବହି । ବହୁ ବିଶ୍ୱ-ବିଖ୍ୟାତ ବହିର ସଂକ୍ଷିପ୍ତସାର ଏହା ଯୋଗାଇଦିଏ । ବହୁ ଶିକ୍ଷାବିତ୍ ଏ ବହିଗୁଡ଼ିକର ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କ ଭିତରୁ ଦୁଇଜଣଙ୍କ ଅଭିମତ ହେଲା –

 

"Biswa Sahitya Series - deserves commendation by all lovers of Odia. By providing reading material to the adolescent child, the publishers have earned the gratitude of all parents." Dr. Deviprasanna Pattanaik

 

"ଏହି ବହିଗୁଡ଼ିକ କିଶୋରବୟସ୍କ ଛାତ୍ରଛାତ୍ରୀଙ୍କ ପକ୍ଷେ ଅତୀବ ଆକର୍ଷଣୀୟ ହୋଇପାରିଛି । ଏହା ସେମାନଙ୍କ କଳ୍ପନାକୁ ଉଦ୍ଦୀପ୍ତ କରିବା ସଂଗେ ସଂଗେ ସାହିତ୍ୟ ପ୍ରତି ଅନୁରାଗ ବଢ଼ାଇଚି ।" (ଡ଼. ଜାନକୀ ବଲ୍ଲଭ ମହାନ୍ତି)

 

ସବୁ ପାଠକ ଓ ଅଭିଭାବକଙ୍କର ଏହାହିଁ ଅଭିମତ । ଜଣାଇଲେ ବହିଗୁଡ଼ିକର ପୂରା ତାଲିକା ପଠାଇଦେବୁ ।